ସରକାରୀ କାର୍ଯ୍ୟାଳୟକୁ ବିଳମ୍ବରେ ଆସୁଥିଲେ ସାବଧାନ!

ବିଳମ୍ବରେ ଆସୁଥିବା କର୍ମଚାରୀଙ୍କ ଉପରେ ନଜର ରଖିବ ବିଭାଗ।

ସରକାରୀ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ କଡା ନିୟମ

ନୂଆଦିଲ୍ଲୀ, ୨୨/୦୬: ସରକାରୀ କର୍ମଚାରୀଙ୍କ ପାଇଁ କଡା ନିୟମ ଆଣିଲେ କେନ୍ଦ୍ର ସରକାର। ସରକାରୀ କାର୍ଯ୍ୟାଳୟକୁ ବିଳମ୍ବରେ ଆସୁଥିବା କର୍ମଚାରୀଙ୍କ ପାଇଁ କଡା ପଦକ୍ଷେପ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର। ସକାଳ ୯ଟା ୧୫ ସୁଦ୍ଧା କାର୍ଯ୍ୟାଳୟରେ ସମସ୍ତ ଅଫିସର ଓ କର୍ମଚାରୀ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ରର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ। ନିର୍ଦ୍ଦେଶନାମା ଅନୁଯାୟୀ, ଅତି ବେଶୀରେ କର୍ମଚାରୀମାନେ ୧୫ ମିନିଟ୍ ବିଳମ୍ବରେ ଆସି ପାରିବେ। କିନ୍ତୁ ତଦୁର୍ଦ୍ଧ ନୁହେଁ। ତା’ଠାରୁ ଅଧିକ ବିଳମ୍ବରେ ଆସୁଥିଲେ ଅଧା ଦିନର ସାମୟିକ ଛୁଟି ହରାଇବେ କର୍ମଚାରୀ। ଯଦି କୌଣସି ବ୍ୟକ୍ତିଗତ କାମ ପାଇଁ ସମ୍ପୃକ୍ତ କର୍ମଚାରୀ ଛୁଟି ନିଅନ୍ତି, ତାହାଲେ ତାଙ୍କୁ ପୂର୍ବରୁ ଲିଖିତ ଭାବେ କାରଣ ଦର୍ଶାଇବାକୁ ପଡ଼ିବ କିମ୍ବା ଛୁଟି ପାଇଁ ଆବେଦନ କରିବେ। ଏହା ସହିତ ଅଧିକାରୀମାନେ ସେମାନଙ୍କ ବିଭାଗର କର୍ମଚାରୀଙ୍କ ଉପସ୍ଥାନ ଓ ସମୟାନୁବର୍ତ୍ତିତା ଉପରେ ନଜର ରଖିପାରିବେ। ସମସ୍ତ କର୍ମଚାରୀ ଓ ଅଧିକାରୀ ବାୟୋମେଟ୍ରିକ୍ ଜରିଆରେ ନିଜ ଉପସ୍ଥାନ ପଞ୍ଜିକୃତ କରାଇବେ। ଏହା ଦ୍ୱାରା ଅଭ୍ୟାସଗତ ଭାବେ ବିଳମ୍ବରେ ଆସୁଥିବା ଓ ଆଗୁଆ କାର୍ଯ୍ୟାଳୟ ଛାଡୁଥିବା କର୍ମଚାରୀଙ୍କୁ ଚିହ୍ନଟ କରାଯିବ ଏବଂ କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।