ଶ୍ରୀମନ୍ଦିର ରତ୍ନଭଣ୍ଡାର ରକ୍ଷଣାବେକ୍ଷଣ ନେଇ ଚିନ୍ତା ପ୍ରକଟ କଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୁଦର୍ଶନ

ଭୁବନେଶ୍ବର, ୨୬/୦୬: ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାରର ରକ୍ଷଣାବେକ୍ଷଣ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଶିଷ୍ଟ ବାଲୁକା ଶିଳ୍ପୀ ତଥା ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ। ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ରକ୍ଷଣାବେକ୍ଷଣ କାର୍ଯ୍ୟ ତୁରନ୍ତ କରିବାକୁ ଏଏସ୍ଆଇକୁ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ସୁଦର୍ଶନ ଲେଖିଛନ୍ତି, ୨୦୧୮ରେ ଏଏସ୍ଆଇର ବୈଷୟିକ ଶାଖା ଭିତର ରତ୍ନଭଣ୍ଡାର ଯାଞ୍ଚ କରିବା ବେଳେ କାନ୍ଥ, ଛାତ ଓ ବେସମେଣ୍ଟରେ ବହୁତ ଗୁଡ଼ିଏ ସମସ୍ୟା ଦେଖିବାକୁ ପାଇଥିଲେ। ଏହାପରେ ଏଏସଆଇ ଟିମ୍ ତୁରନ୍ତ ଭିତର ରତ୍ନଭଣ୍ଡାର ମରାମତି କରିବାକୁ ସୁପାରିସ କରିଥିଲେ। ୬ ବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମରାମତି କାର୍ଯ୍ୟ ହୋଇପାରିନାହିଁ। ମରାମତିରେ ବିଳମ୍ବ ହେତୁ ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ଆହୁରି ଖରାପ ହୋଇଥାଇପାରେ। ଫେବୃଆରୀ ୨୦୨୪ରେ ହୋଇଥିବା ଲେଜର ସ୍କାନିଂରେ ରତ୍ନ ଭଣ୍ଡାର ବାହାରେ ଫାଟ ଦେଖିବାକୁ ମିଳିଥିଲା। ତେଣୁ ଏହାର ତୁରନ୍ତ ମରାମତି ଆବଶ୍ୟକ ବୋଲି ସୁଦର୍ଶନ କହିଛନ୍ତି।