ୟୁଜିସି ନେଟ୍ ପାଇଁ ନୂଆ ତାରିଖ ଘୋଷଣା କଲା ଏନଟିଏ

ୟୁଜିସି-ନେଟ୍ ପରୀକ୍ଷା ଆସନ୍ତା ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ତାରିଖ ମଧ୍ୟରେ ହେବ ବୋଲି ସୂଚନା ମିଳିଛି।

ଏନଟିଏର ସମସ୍ତ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ

ନୂଆଦିଲ୍ଲୀ, ୨୯/୦୬: ୟୁଜିସି ନେଟ୍ ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା କରିଛି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି। ୟୁଜିସି ନେଟ୍ ପରୀକ୍ଷା ପରିଚାଳନାରେ ଅନିୟମିତତାକୁ ନେଇ ବିବାଦ ଲାଗି ରହିଥିବା ବେଳେ ଏନଟିଏ ଶୁକ୍ରବାର ରାତିରେ ଏହି ପରୀକ୍ଷା ପାଇଁ ନୂଆ ତାରିଖ ଜାରି କରିଛି। ୟୁଜିସି-ନେଟ୍ ପରୀକ୍ଷା ଆସନ୍ତା ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ତାରିଖ ମଧ୍ୟରେ ହେବ ବୋଲି ସୂଚନା ମିଳିଛି।

ୟୁଜିସି ନେଟ୍ ପରୀକ୍ଷା ଗତ ଜୁନ୍ ୧୮ରେ ଅନୁଷ୍ଠିତ ହୋଇଥିଲା। କିନ୍ତୁ ଏହାର ଗୋଟିଏ ଦିନ ପରେ ପରୀକ୍ଷାରେ ଅନିୟମିତତା ହୋଇଥିବା ନେଇ ଶିକ୍ଷା ମନ୍ତ୍ରଣାଳୟକୁ ସୂଚନା ମିଳିବା ପରେ ଏହାକୁ ବାତିଲ କରାଯାଇଥିଲା। ଏହି ଘଟଣାର ତଦନ୍ତ କରିବା ପାଇଁ ସିବିଆଇକୁ ଦାୟିତ୍ୱ ଭାର ଦିଆଯାଇଥିଲା।

ସେହିପରି କାଉନସିଲ ଫର ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସ୍ଆଇଆର) ୟୁଜିସି-ନେଟ୍ ଏବେ ଜୁଲାଇ ୨୫ରୁ ୨୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପରୀକ୍ଷାରେ ଅନିୟମିତତା ଆଶଙ୍କାରେ ସିଏସ୍ଆଇଆର ୟୁଜିସି ନେଟ୍ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଥିଲା। ପୂର୍ବରୁ ଅଫଲାଇନ୍ ମୋଡରେ ଅର୍ଥାତ୍ ପେନ୍ ଓ ପେପର ମୋଡରେ ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ଏବେ ଉଭୟ ପୁନଃନିର୍ଦ୍ଧାରିତ ପରୀକ୍ଷା ଅନଲାଇନ ମୋଡ ଅର୍ଥାତ୍ କମ୍ପ୍ୟୁଟର ବେସ୍ଡ ଟେଷ୍ଟ ମାଧ୍ୟମରେ ଅନୁଷ୍ଠିତ ହେବ।

ଅଲ ଇଣ୍ଡିଆ ଆୟୁଷ ପୋଷ୍ଟ ଗ୍ରାଜୁଏଟ୍ ପରୀକ୍ଷା ଆସନ୍ତା ଜୁଲାଇ ୬ରେ ଅନୁଷ୍ଠିତ ହେବ। ଆଇଆଇଟି, ଏନଆଇଟି, ଆରଆଇଇ ଏବଂ ବିଭିନ୍ନ ସରକାରୀ କଲେଜ ସମେତ କେନ୍ଦ୍ର ଓ ରାଜ୍ୟ ବିଶ୍ୱବିଦ୍ୟାଳୟରେ ୪ ବର୍ଷିଆ ଇଣ୍ଟେଗ୍ରେଟେଡ୍ ଟିଚର ଏଜୁକେସନ ପ୍ରୋଗ୍ରାମ (ଆଇଟିଇପି)ରେ ନାମଲେଖା ପାଇଁ ଜାତୀୟ ସାଧାରଣ ପ୍ରବେଶିକା ପରୀକ୍ଷା (ଏନ୍ ସିଇଟି) ଜୁଲାଇ ୧୦ତାରିଖରେ ଅନୁଷ୍ଠିତ ହେବ ବୋଲି ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି।