କାର୍ଯ୍ୟକାଳର ଶେଷ ଦିନରେ ଭାବବିହ୍ୱଳ ହେଲେ ମୁଖ୍ୟ ଶାସନ ସଚିବ

ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ଶେଷ ହେବ।

ଲୋକଙ୍କୁ ସାହାଯ୍ୟ କରିବାରେ ବାଧକ ଥିଲା ନିୟମାବଳୀ

ଭୁବନେଶ୍ବର, ୩୦/୦୬: ଆଜି ଶେଷ ହେବାକୁ ଯାଉଛି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ। ପ୍ରଦୀପ ଜେନାଙ୍କ ସ୍ଥାନରେ ଆଇଏଏସ୍ ଅଫିସର ମନୋଜ ଆହୁଜାଙ୍କୁ ଦାୟିତ୍ୱ ଦିଆଯାଇଛି। ଏହି ଅବସରରେ କାର୍ଯ୍ୟାଳୟ ଛାଡିବା ପୂର୍ବରୁ ଭାବବିହ୍ୱଳ ହୋଇଛନ୍ତି ପ୍ରଦୀପ ଜେନା। ସୋସିଆଲ ମିଡ଼ିଆ ସାଇଟ ଏକ୍ସରେ ଭାବବିହ୍ୱଳ ପୂର୍ଣ୍ଣ ଲେଖା ପୋଷ୍ଟ କରିଛନ୍ତି।

ସାହାଯ୍ୟ ପାଇଁ ବହୁତ ଲୋକଙ୍କୁ ମୋତେ କଥା ଦେବାକୁ ପଡିଥିଲା। କିନ୍ତୁ କିଛି ପ୍ରତିବନ୍ଧକ ହେତୁ ମୁଁ ସେହି ଆଶା ପୂରଣ କରି ପାରିନାହିଁ। ଟ୍ୱିଟରରେ ବହୁତ ଲୋକ ମୋତେ ସମସ୍ୟାର ସମାଧାନ ପାଇଁ ଟ୍ୱିଟ କରିଥିଲେ। ହେଲେ, ଟ୍ୱିଟର ଉତ୍ତର ଦେବା ପାଇଁ ମୁଁ କୌଣସି ଏଜେନ୍ସିକୁ ନିୟୋଜିତ କରିନଥିଲି। ତେଣୁ ମୁଁ ଅନେକଙ୍କୁ ପ୍ରତିକ୍ରିୟା ଦେଇ ପାରିନଥିଲି। ଏଥି ପାଇଁ ମୋତେ କ୍ଷମା କରନ୍ତୁ ବୋଲି ଶ୍ରୀ ଜେନା ଟ୍ୱିଟରେ ଲେଖିଛନ୍ତି।

ସେହିପରି ଆହୁରି ମଧ୍ୟ କହିଛନ୍ତି ଯେ, ଆପଣମାନଙ୍କ ସମସ୍ୟାର ସମାଧାନ ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲି। ଲୋକମାନେ ଭାବନ୍ତି ଯେ, ଶାସନ ସଚିବ ସବୁ କିଛି କରି ପାରନ୍ତି। କିନ୍ତୁ ପ୍ରକୃତରେ ତାହା ନୁହେଁ। ବ୍ୟବସ୍ଥା ଓ ନିୟମାବଳୀ ଭିତରେ ମୁଁ ବାନ୍ଧି ହୋଇ ଅଛି। କେତେକ କ୍ଷେତ୍ରରେ ସାହାଯ୍ୟ କରିବାକୁ ଚାହୁଁଥିଲେ ମଧ୍ୟ ପ୍ରତିବନ୍ଧକ କାରଣରୁ ମୁଁ ତାହା କରି ପାରେ ନାହିଁ। ସରକାରୀ ପଦବୀର ବାହାରେ ଥାଇ ନିଶ୍ଚୟ ଲୋକମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ କରିବି। ଜଣେ ସାଧାରଣ ମଣିଷ ହିସାବରେ ରାଜ୍ୟ ପାଇଁ ଯୋଗଦାନ ରହିବ ବୋଲି ସେ କହିଛନ୍ତି।