ବିରାଟ-ରୋହିତ ନେଲେ ଅବସର; ଦ୍ରାବିଡଙ୍କୁ ୱାର୍ଲ୍ଡକପ ଫେରୱେଲ

୧୭ ବର୍ଷ ପରେ ଭାରତ ଟି-ଟ୍ୱେଣ୍ଟି ବିଶ୍ୱକପ ଚାମ୍ପିଅନ ହେଲା।

ଖେଳାଳିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୩୦/୦୬: ଦୀର୍ଘବର୍ଷର ପ୍ରତୀକ୍ଷାର ଅନ୍ତ ଘଟି ୧୭ ବର୍ଷ ପରେ ବିଶ୍ୱକପ ଟାଇଟଲ ହାସଲ କରିଛି ଭାରତ। ଉତ୍ତର ଆମେରିକାର ବାର୍ବାଡୋସର ବ୍ରିଜଟାଉନରେ ଖେଳା ଯାଇଥିବା ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ରନରେ ହରାଇ ଚାମ୍ପିଆନ ହୋଇଛି। ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ୧୧ ବର୍ଷ ପରେ ଆଇସିସି ଟାଇଟଲ ଜିତିଛି। ସାରା ଭାରତ ଏବେ ବିଜୟ ପରେ ଉତ୍ସବ ମନାଉଛି।

ଭାରତୀୟ ଅଧିନାୟକ ରୋହିତ ଶର୍ମା ଓ ତାରକା ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଶନିବାର ବାର୍ବାଡୋସ୍ଠାରେ ଚାଲିଥିବା ଟି-୨୦ ବିଶ୍ୱକପ୍ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରିବା ପରେ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି।

ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ୭୬ ରନ୍ କରି ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହେବା ପରେ କୋହଲି ପ୍ରଥମେ ନିଜ ନିଷ୍ପତ୍ତି ଘୋଷଣା କରିଥିଲେ ଯେ ସେ ଯାହା ପାଇଁ ଆସିଛନ୍ତି ତାହା ହାସଲ କରିବା ପରେ ଅବସର ନେବାର ସମୟ ଆସିଛି। ପରବର୍ତ୍ତୀ ପିଢ଼ି ପାଇଁ ଦାୟିତ୍ୱ ନେବାର ସମୟ ଆସିଛି, କିଛି ଷ୍ଟାର ଖେଳାଳି ଦଳକୁ ଆଗକୁ ନେବେ। ଏହି ସମୟରେ ଅବସର ଘୋଷଣା କରି ପରିସ୍ଥିତିର ସଦୁପଯୋଗ କରିବାକୁ ଚାହୁଁଥିଲି।”

୨୦୧୦ରେ ଜିମ୍ବାୱେ ବିପକ୍ଷରେ ମ୍ୟାଚ ଖେଳି ଟି-ଟେଣ୍ଟି ଯାତ୍ରା ଆରମ୍ଭ କରିଥିଲେ ବିରାଟ କୋହଲି। ବିରାଟଙ୍କ ଟ୍ୱି-ଟେଣ୍ଟି କ୍ୟାରିୟରରେ ମୋଟ ୧୨୫ ମ୍ୟାଚ ଖେଳି ୪୧୮୮ ରନ୍ ହାତେଇଛନ୍ତି। ସର୍ବାଧିକ ସ୍କୋର କରିଛନ୍ତି ୧୨୨। ଗୋଟିଏ ଶତକ ଓ ୩୮ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ୩୬୯ଟି ଚୌକା, ୧୨୪ଟି ଛକା ଓ ୫୪ଟି କ୍ୟାଚ କରିଛନ୍ତି। ବିରାଟ ୨୦୧୪ ଓ ୨୦୧୬ ଟି-ଟ୍ୱେଣ୍ଟିରେ ପ୍ଲେୟାର ଅଫ ଦ ଟୁର୍ଣ୍ଣାମେଣ୍ଟ ଟାଇଟଲ ହାସଲ କରିଥିଲେ।

ସେହିପରି ଟି-୨୦ ଫାଇନାଲ ମ୍ୟାଚ ଜିତିବା ପରେ ରୋହିତ ଶର୍ମା ମଧ୍ୟ ଟି-୨୦ ଫର୍ମାଟରୁ ଅବସର ଘୋଷଣା କରିଥିଲେ। ଏହା ମୋର ଶେଷ ଟି-୨୦ ମ୍ୟାଚ୍ ମଧ୍ୟ ଥିଲା। ଏହି ଫର୍ମାଟକୁ ବିଦାୟ ଦେବା ପାଇଁ ଏହାଠାରୁ ଭଲ ସମୟ ଆଉ କିଛି ନାହିଁ ବୋଲି ରୋହିତ ମ୍ୟାଚ୍ ପରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏହି ଫର୍ମାଟରେ ଖେଳି ମୁଁ ମୋର କ୍ୟାରିୟର ଆରମ୍ଭ କରିଥିଲି। ମୁଁ କପ୍ ଜିତିବାକୁ ଚାହୁଁଥିଲି ବୋଲି ସେ କହିଛନ୍ତି।

ରୋହିତ ଶର୍ମା ଟି-ଟ୍ୱେଣ୍ଟି କ୍ୟାରିୟରରେ ୨୦୦୭ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମ୍ୟାଚ ଖେଳି ଯାତ୍ରା ଆରମ୍ଭ କରିଥିଲେ ରୋହିତ ଶର୍ମା। ୧୫୯ଟି ମ୍ୟାଚ ଖେଳିଥିବା ବେଳେ ୪୨୩୧ ରନ ଓ ୧୪୦.୯ ସ୍କୋର ହାସଲ କରିଛନ୍ତି। ୫ଟି ଶତକ ଓ ୩୨ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ରୋହିତ। ଏହି ମ୍ୟାଚ ପରେ ଭାରତୀୟ କ୍ରିକେଟ ତାରକା କପିଳ ଦେବ ଓ ମହେନ୍ଦ୍ର ସିଂହ ଧୋନିଙ୍କ ସମକକ୍ଷ ହୋଇଛନ୍ତି ରୋହିତ।

ବିରାଟ କୋହଲି, ରୋହିତ ଶର୍ମା ଏବଂ ଅନ୍ୟ ଭାରତୀୟ ଖେଳାଳିମାନେ ରାହୁଲ ଦ୍ରାବିଡ଼ଙ୍କୁ ମଧ୍ୟ ବିଦାୟ ଦେଇଛନ୍ତି। ରାହୁଲ ଦ୍ରାବିଡ଼ କୋଚ୍ ପଦରୁ ଇସ୍ତଫା ଦେଇଛନ୍ତି। ଏହି ବିଜୟ ଉତ୍ସବ ପାଳନ କରିବା ବେଳେ ଟିମ୍ ଇଣ୍ଡିଆ ମୁଖ୍ୟ କୋଚଙ୍କୁ କାନ୍ଧରେ ଉଠାଇ ନେଇଥିଲା। ଗୋଟିଏ ପଟେ ଟିମ୍ ଇଣ୍ଡିଆ ବିଜୟ ଉତ୍ସବ ମନାଉଥିବା ବେଳେ ରାହୁଲ ଦ୍ରାବିଡ୍, ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅବସର ଘୋଷଣାକୁ ସହଜରେ ଗ୍ରହଣ କରି ପାରିନାହାନ୍ତି। ସୋସିଆଲ ମିଡ଼ିଆରେ ପ୍ରଶଂସକଙ୍କ ଦ୍ୱାରା ଭାବପ୍ରବଣ ପୂର୍ଣ୍ଣ ପୋଷ୍ଟ ଦେଖିବାକୁ ମିଳୁଛି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ଟିମ୍ ଇଣ୍ଡିଆ ପାଇଁ ଆମେ ଗର୍ବିତ। କେବେ ବି ହାର ନମାନିବା ଜିଦ୍ ଭାରତୀୟ ଦଳକୁ ଜିତାଇ ପାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ଖେଳାଳିଙ୍କ ସହ କଥା ଫୋନରେ ହୋଇଛନ୍ତି। ଭାରତୀୟ କ୍ରିକେଟକୁ କୋଚ ରାହୁଲ ଦ୍ରାବିଡଙ୍କ ଅବଦାନ, ରୋହିତଙ୍କ ଅଧିନାୟକତ୍ୱ, ବିରାଟ କୋହଲିଙ୍କ ଶେଷ ଇନିଂସ, ଶେଷ ଓଭରରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବୋଲିଂ ଏବଂ ସୂର୍ଯ୍ୟକୁମାରଙ୍କ କ୍ୟାଚ ଏବଂ ଯଶପ୍ରୀତ ବୁମରାଙ୍କ ଯୋଗଦାନକୁ ଭୂରିଭୂରି ପ୍ରଶଂସା କରିଛନ୍ତି।