ଗଜପତି ଅତିରିକ୍ତ ଜିଲ୍ଲାପାଳଙ୍କ ପରଲୋକ
ଗଜପତିର ଅତିରିକ୍ତ ଜିଲ୍ଲାପାଳ ବୀରେନ୍ଦ୍ର କୁମାର ଦାସଙ୍କର ପରଲୋକ ଘଟିଛି।
ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ
ଭୁବନେଶ୍ବର, ୧୧/୦୭: ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବୀରେନ୍ଦ୍ର କୁମାର ଦାସଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଏକ ବିଜ୍ଞପ୍ତିରେ କହିଛନ୍ତି, ସ୍ୱର୍ଗତ ଦାସ ଜଣେ ଉତ୍ସର୍ଗୀକୃତ ଓ କର୍ତ୍ତବ୍ୟବାନ ଅଧିକାରୀ ଥିଲେ। ସେ ସର୍ବଦା ଜନସାଧାରଣଙ୍କ ହିତ ପାଇଁ ଅକ୍ଳାନ୍ତ ପରିଶ୍ରମ କରୁଥିଲେ। ତାଙ୍କ ପ୍ରଶାସନିକ ଦକ୍ଷତା ପାଇଁ ସେ ଉଚ୍ଚ ପ୍ରଶଂସିତ ହୋଇଥିଲେ। ତାଙ୍କ ବିୟୋଗରେ ରାଜ୍ୟ ଜଣେ ଦକ୍ଷ ପ୍ରଶାସକଙ୍କୁ ହରାଇଛି। ଶ୍ରୀ ଦାସଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି।
ସୂଚନାନୁଯାୟୀ, ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ବୃନ୍ଦାବନ ପ୍ୟାଲେସରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ କାଲି ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶ୍ରୀ ଦାସ ଜଗନ୍ନାଥ ଭଜନ ଗାଉଥିବା ବେଳେ ହଠାତ୍ ତଳେ ପଡ଼ି ଅଚେତ ହୋଇ ଯାଇଥିଲେ। ତାଙ୍କୁ ତୁରନ୍ତ ପାରଳାଖେମୁଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।