୪୦ ବର୍ଷ ପରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଅଷ୍ଟ୍ରିଆ ଗସ୍ତ

ଦୁଇ ଦିନିଆ ଅଷ୍ଟ୍ରିଆ ଗସ୍ତରେ ଅଛନ୍ତି ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଭାରତ-ଅଷ୍ଟ୍ରିଆ ସମ୍ପର୍କର ୭୫ ବର୍ଷ ପୂର୍ତ୍ତି

ନୂଆଦିଲ୍ଲୀ, ୧୦/୦୭: ଋଷିଆ ଗସ୍ତରୁ ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରିଆରେ ପହଞ୍ଚିଛନ୍ତି। ଅଷ୍ଟ୍ରିଆର ବୈଦେଶିକ ମନ୍ତ୍ରୀ ଆଲେକଜାଣ୍ଡର ଶେଲେନବର୍ଗ ପ୍ରଧାନମନ୍ତ୍ରୀଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଥିଲେ। ଅଷ୍ଟ୍ରିଆରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ବନ୍ଦେ ମାତରମ୍’ ଗୀତରେ ସ୍ୱାଗତ କରାଯାଇଥିଲା। ଭାରତ-ଅଷ୍ଟ୍ରିଆ କୂଟନୈତିକ ସମ୍ପର୍କର ୭୫ ତମ ବାର୍ଷିକୀ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ଅଷ୍ଟ୍ରିଆ ଗସ୍ତରେ ଅଛନ୍ତି। ବିଗତ ୪୦ ବର୍ଷ ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଅଷ୍ଟ୍ରିଆ ଗସ୍ତ।ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ଅତ୍ୟନ୍ତ ଉଲ୍ଲେଖନୀୟ। ଶେଷ ଥର ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୯୮୩ରେ ଅଷ୍ଟ୍ରିଆ ଗସ୍ତ କରିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରିଆର ଚାନ୍ସେଲର କାର୍ଲ ନେହାମର୍ ଭାରତ-ଅଷ୍ଟ୍ରିଆ ବିଜନେସ୍ ମିଟିଂରେ ଯୋଗ ଦେଇଥିଲେ। ଏହି ବୈଠକରେ ଉଭୟ ଦେଶର ପ୍ରାୟ ୪୦ଟି କମ୍ପାନି ଅର୍ଥନୈତିକ ଅଭିବୃଦ୍ଧି ଏବଂ ଦ୍ୱିପାକ୍ଷିକ ବାଣିଜ୍ୟିକ ସମ୍ପର୍କ ବୃଦ୍ଧି ପାଇଁ ଆଲୋଚନା କରିଥିଲେ। ଉଭୟ ପକ୍ଷର ଭିତ୍ତିଭୂମି, ଅଟୋମୋବାଇଲ, ଏନର୍ଜି, ଇଞ୍ଜିନିୟରିଂ ଏବଂ ଷ୍ଟାର୍ଟଅପ୍ ସମେତ ବିଭିନ୍ନ କ୍ଷେତ୍ରର ନେତୃତ୍ୱଙ୍କ ସହ ଆଲୋଚନା କରିଥିଲେ। ଆଗାମୀ ବର୍ଷରେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବାକୁ ଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ଅଷ୍ଟ୍ରିଆର ବାଣିଜ୍ୟିକ ପ୍ରତିନିଧିମାନଙ୍କୁ ଭାରତରେ ପୁଞ୍ଜିନିବେଶ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହା ବ୍ୟତୀତ ଭିଏନାରେ ନୋବେଲ ବିଜେତା ତଥା ଅଷ୍ଟ୍ରିଆର ପଦାର୍ଥ ବିଜ୍ଞାନୀ ଆଣ୍ଟୋନ ଜୈଲିଙ୍ଗରଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଭେଟିଛନ୍ତି।