ନିଟ୍-ୟୁଜି ପେପର ଲିକ୍ ମାମଲା: ସୁପ୍ରିମକୋର୍ଟରେ ଘୁଞ୍ଚିଲା ଶୁଣାଣି

ଏହା ଉପରେ ପ୍ରତିପକ୍ଷଙ୍କ ସତ୍ୟପାଠ ଦାୟର ହୋଇନଥିବାରୁ ମାମଲାର ଶୁଣାଣିକୁ ସୁପ୍ରିମକୋର୍ଟ ଘୁଞ୍ଚାଇ ଦେଇଛନ୍ତି।

୧୮ରେ ମାମଲାର ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ,୧୧/୦୭: ନିଟ୍-ୟୁଜି ପରୀକ୍ଷା ପରିଚାଳନାରେ ଅନିୟମିତତା ଅଭିଯୋଗରେ ହୋଇଥିବା ଆବେଦନର ଶୁଣାଣିକୁ ଜୁଲାଇ ୧୮ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ପ୍ରସଙ୍ଗରେ ଶୁଣାଣି ତାରିଖକୁ ଆଉ ୭ ଦିନ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ପ୍ରଶ୍ନପତ୍ର ଲିକ୍ ଓ ପରୀକ୍ଷା ପରିଚାଳନାରେ ସଂସ୍କାର ନେଇ କେନ୍ଦ୍ର ସରକାର ଓ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ସର୍ବୋଚ୍ଚ ଅଦାଲତରେ ସତ୍ୟପାଠ ଦାଖଲ କରିଥିଲେ। ଆଜି ସିବିଆଇ ପକ୍ଷରୁ ତଦନ୍ତ ରିପୋର୍ଟର ଚାର୍ଜସିଟ୍ ଦାଖଲ ହୋଇଥିଲା।

ତେବେ ଏହା ଉପରେ ପ୍ରତିପକ୍ଷଙ୍କ ସତ୍ୟପାଠ ଦାୟର ହୋଇନଥିବାରୁ ମାମଲାର ଶୁଣାଣିକୁ ସୁପ୍ରିମକୋର୍ଟ ଘୁଞ୍ଚାଇ ଦେଇଛନ୍ତି। ତେବେ ମାମଲା ଶୁଣାଣିର ୭ ଦିନ ମଧ୍ୟରେ ପ୍ରତିପକ୍ଷଙ୍କୁ ସେମାନଙ୍କ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ନିଟ୍ ପରୀକ୍ଷାରେ ଅବ୍ୟବସ୍ଥା, ତ୍ରୁଟି ଓ ପ୍ରଶ୍ନପତ୍ର ଲିକ୍ ମାମଲାରେ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ୪୩ଟି ପିଟିସନର ଶୁଣାଣି କରିଥାନ୍ତେ ସୁପ୍ରିମକୋର୍ଟ।

ଦେଶରେ ଅଳ୍ପ କିଛି ସ୍ଥାନରେ ନିଟ୍ ୟୁଜି ପରୀକ୍ଷାକୁ ନେଇ ତ୍ରୁଟି ଦେଖାଦେଇଥିଲା। କିନ୍ତୁ ଆଇଆଇଟି-ମାଡ୍ରାସ ଦ୍ୱାରା ଏହି ମାମଲାରେ ସମୀକ୍ଷା କରି ପରୀକ୍ଷା ଅନିୟମିତତାର କୌଣସି ପ୍ରମାଣ ପାଇନାହିଁ ବୋଲି ସଦ୍ୟତମ ସତ୍ୟପାଠରେ କେନ୍ଦ୍ର ସରକାର ସର୍ବୋଚ୍ଚ ଅଦାଲତଙ୍କୁ କହିଥିଲେ।