ମାନହାନି ମାମଲାରେ ୟୁପି କୋର୍ଟରେ ହାଜର ହେଲେ ରାହୁଲ ଗାନ୍ଧି

ଅଗଷ୍ଟ ୧୨ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ, ୨୬/୦୭: ମାନହାନି ମାମଲାରେ ଉତ୍ତରପ୍ରଦେଶ କୋର୍ଟରେ ହାଜର ହେଲେ କଂଗ୍ରେସ ନେତା ରାହୁଲ ଗାନ୍ଧି। ମାନହାନି ମାମଲାର ଶୁଣାଣି ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧି ଶୁକ୍ରବାର କୋର୍ଟରେ ହାଜର ହୋଇଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଅଗଷ୍ଟ ୧୨ ତାରିଖ ଧାର୍ଯ୍ୟ କରାଯାଇଛି। ତେବେ ଏହି ଦିନ କୋର୍ଟରେ ହାଜର ହେବେ ନାହିଁ ରାହୁଲ ଗାନ୍ଧି।

ଉଲ୍ଲେଖଯୋଗ୍ୟ, ତତ୍କାଳୀନ ବିଜେପି ଅଧ୍ୟକ୍ଷ ତଥା ବର୍ତ୍ତମାନର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଉତ୍ତରପ୍ରଦେଶର ସ୍ଥାନୀୟ ବିଜେପି ନେତା ବିଜୟ ମିଶ୍ର ୨୦୧୮ ମସିହା ଅଗଷ୍ଟ ୪ ତାରିଖରେ ରାହୁଲଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିଥିଲେ। ଏହି ମାମଲାରେ ଅଦାଲତ ଫେବୃଆରୀ ୨୦ରେ ରାହୁଲ ଗାନ୍ଧିଙ୍କୁ ଜାମିନ ପ୍ରଦାନ କରିଥିଲେ।