ଅଗଷ୍ଟରେ ୟୁକ୍ରେନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ଋଷ ୟୁକ୍ରେନ ଯୁଦ୍ଧ ପରେ ମୋଦିଙ୍କ ପ୍ରଥମ ୟୁକ୍ରେନ ଗସ୍ତ

ନୂଆଦିଲ୍ଲୀ, ୨୭/୦୭: ଖୁବଶୀଘ୍ର ୟୁକ୍ରେନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଋଷ-ୟୁକ୍ରେନ ଯୁଦ୍ଧ ପରେ ପ୍ରଥମେ ଜୁଲାଇ ୮ ତାରିଖରେ ଋଷ ଗସ୍ତ କରିଥିଲେ ମୋଦି। ଏବେ ୟୁକ୍ରେନ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ୨୦୨୨ରେ ରୁଷ୍ ୟୁକ୍ରେନ୍ ଉପରେ ଆକ୍ରମଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଥର ପାଇଁ ଆସନ୍ତା ଅଗଷ୍ଟ ୨୩ ତାରିଖରେ କିଭ୍ ଗସ୍ତ କରିବେ ବୋଲି ଜଣା ପଡ଼ିଛି।

ଇଟାଲୀରେ ଜି-୭ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ୟୁକ୍ରେନ ଓ ଭାରତ ମଧ୍ୟରେ ସର୍ବଦା ବନ୍ଧୁତ୍ୱପୂର୍ଣ୍ଣ ଭାବ ରହି ଆସିଛି। ଗତ ମାର୍ଚ୍ଚ ମାସରେ ଜେଲେନସ୍କିଙ୍କ ସହ ଟେଲିଫୋନ ଯୋଗେ ବାର୍ତ୍ତାଳପ କରିଥିଲେ ମୋଦି। ଭାରତ ଓ ୟୁକ୍ରେନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଆଗକୁ ବଢିବା ନେଇ ଆଲୋଚନା କରିଥିଲେ। ଏହା ସହ ଋଷିଆ ସହ ଯୁଦ୍ଧ କେବଳ ଆଲୋଚନା ଓ କୂଟନୀତି ମାଧ୍ୟମରେ ହିଁ ବନ୍ଦ ହୋଇ ପାରିବ ବୋଲି କହିଥିଲେ।

ତେବେ ଗତ ଜୁଲାଇ ୮ ତାରିଖରେ ଦୁଇ ଦିନିଆ ମସ୍କୋ ଗସ୍ତ ନେଇ ମୋଦିଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ଜେଲେନସ୍କି। ଏହା ସହ ଆମେରିକା ଓ ଜାତିସଂଘ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ। ସେହିପରି ଲୋକସଭା ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ମୋଦୀ ତୃତୀୟ ଥର ପାଇଁ ନିର୍ବାଚିତ ହେବା ଦିନ ଜେଲେନସ୍କି ତାଙ୍କୁ ଅଭିନନ୍ଦନ ଜଣାଇବା ସହ ୟୁକ୍ରେନ ଗସ୍ତ ପାଇଁ ନିମନ୍ତ୍ରଣ କରିଥିଲେ।