ନୀତି ଆୟୋଗ ବୈଠକରେ ଅପମାନିତ ହେଲେ ମମତା

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ନୀତି ଆୟୋଗର ନବମ ଗଭର୍ଣ୍ଣିଂ କାଉନସିଲ୍ ବୈଠକ ଅନୁଷ୍ଠିତ ହୋଇଛି।

ଅଧାରୁ ଉଠି ଆସି ଝାଡିଲେ ଅସନ୍ତୋଷ

ନୂଆଦିଲ୍ଲୀ, ୨୭/୦୭: ଆଜି ବସିଛି ନୀତି ଆୟୋଗ ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ନବମ ଗଭର୍ଣ୍ଣିଂ କାଉନସିଲ୍ ବୈଠକ ଅନୁଷ୍ଠିତ ହୋଇଛି। ଦେଶର ବିଭିନ୍ନ ବିଜେପି ଓ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେବା ସହ ବିରୋଧୀ ଦଳ ଇଣ୍ଡିଆ ମେଣ୍ଟରୁ ଯୋଗ ଦେଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ।

ତେବେ ଏହି ବୈଠକ ଚାଲିଥିବା ବେଳେ ଅଧାରୁ ଉଠି ଆସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତାଙ୍କୁ କେନ୍ଦ୍ର ସରକାର ଅପମାନିତ କରିଥିବା ଅଭିଯୋଗ କରିଛନ୍ତି ମମତା। ମମତା କହିଛନ୍ତି, ରାଜ୍ୟ ସରକାରଙ୍କ ପ୍ରତି ଭେଦଭାବ ମନୋବୃତ୍ତି ରଖୁଛନ୍ତି କେନ୍ଦ୍ର ସରକାର। ବୈଠକରେ ଅନ୍ୟ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ କହିବାକୁ ୧୦ରୁ ୨୦ ମିନିଟ୍ ସମୟ ମିଳିଥିବା ବେଳେ ମୋତେ ମାତ୍ର ୫ ମିନିଟର ସମୟ ମିଳିଥିଲା। ମୁଁ କହିବା ପାଇଁ ଚାହୁଁଥିଲି, ହେଲେ ମୋତେ ସୁଯୋଗ ମିଳିନଥିଲା। ବିରୋଧୀ ଦଳରୁ ମୁଁ ଏକମାତ୍ର ବ୍ୟକ୍ତି ଥିଲି, ତଥାପି ମୋତେ କହିବାକୁ ଅନୁମତି ଦିଆ ଯାଇନଥିଲା। ଏହା କେବଳ ପଶ୍ଚିମବଙ୍ଗ ପ୍ରତି ନୁହେଁ, ବରଂ ସବୁ ଆଞ୍ଚଳିକ ଦଳକୁ ଅପମାନ ହୋଇଛି ବୋଲି ମମତା କହିଛନ୍ତି।

କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଭାଗିଦାରୀ ଓ ସହଯୋଗ ବଜାୟ ରଖି ସରକାରୀ ସ୍ତରରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଜନସାଧାରଣଙ୍କ ଜୀବନଧାରଣରେ ଗୁଣବତ୍ତା ବୃଦ୍ଧି କରିବା ଏହି ବୈଠକର ମୁଳ ଉଦ୍ଦେଶ୍ୟ। ୫ ଟ୍ରିଲିୟନ ଜିଡିପି ସହ ଭାରତକୁ ବିଶ୍ୱର ତୃତୀୟ ଅର୍ଥନୀତି ଓ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଉପରେ ଏହି ବୈଠକରେ ଗୁରୁତ୍ୱାରୋପ କରାଯାଇଛି।

ତେବେ ଏହି ବୈଠକରେ ପୂର୍ବରୁ ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ନ ଦେବା ପାଇଁ ଘୋଷଣା କରିଥିଲେ। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, କେରଳ ମୁଖ୍ୟମନ୍ତ୍ରୀ ପିନରୟି ବିଜୟନ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା, ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ, ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଏନ.ରଙ୍ଗାସ୍ବାମୀ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ଓ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ପ୍ରମୁଖ ଯୋଗ ଦେଇନଥିଲେ। କିନ୍ତୁ ରାଜ୍ୟର ସ୍ୱାର୍ଥକୁ ସର୍ବୋପରେ ରଖି ମମତା ବାନାର୍ଜୀ ଏହି ବୈଠକରେ ଯୋଗ ଦେଇଥିଲେ।