ନବୀନ ଜିନ୍ଦଲଙ୍କୁ ମହାତ୍ମା ହଂସରାଜ ଗୌରବ ପୁରସ୍କାର

ଜାତୀୟ ପତାକାକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ପାଇଁ କୁରୁକ୍ଷେତ୍ର ସାଂସଦ ଶ୍ରୀ ନବୀନ ଜିନ୍ଦଲଙ୍କୁ ପ୍ରଶଂସା କଲେ ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନଖଡ

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ହଂସରାଜ କଲେଜର ୭୭ତମ ପ୍ରତିଷ୍ଠା ଦିବସ ଉତ୍ସବରେ ସମ୍ମାନୀତ

ନୂଆଦିଲ୍ଲୀ / ଭୁବନେଶ୍ବର, ୨୯/୦୭: ଦିଲ୍ଲୀ ବିଶ୍ୱବିଦ୍ୟାଳୟର ହଂସରାଜ କଲେଜର ୭୭ତମ ପ୍ରତିଷ୍ଠା ଦିବସ ସମାରୋହରେ କୁରୁକ୍ଷେତ୍ର ସାଂସଦ ତଥା ଦେଶର ଅଗ୍ରଣୀ ଶିଳ୍ପପତି ଶ୍ରୀ ନବୀନ ଜିନ୍ଦଲଙ୍କୁ ମହାତ୍ମା ହଂସରାଜ ଗୌରବ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏହି ଅବସରରେ ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନଖଡ ଜାତୀୟ ପତାକା ପାଇଁ ଦୀର୍ଘ ଆଇନଗତ ସଂଗ୍ରାମ କରିବା ଏବଂ ଏହାକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ପାଇଁ ଶ୍ରୀ ନବୀନ ଜିନ୍ଦଲଙ୍କ ନିରନ୍ତର ପ୍ରୟାସକୁ ପ୍ରଶଂସା କରିଛନ୍ତି ।

ରାଜନୀତି, ଶିଳ୍ପ, ଶିକ୍ଷା ଏବଂ ପୋଲୋ ଓ ସୁଟିଙ୍ଗ (ବନ୍ଧୁକ ଚାଳନା) ଭଳି କ୍ରୀଡାକୁ ନୂତନ ଉଚ୍ଚତାରେ ପହଞ୍ଚାଇଥିବା ଶ୍ରୀ ନବୀନ ଜିନ୍ଦଲ ଦୁଇ ଦିନ ତଳେ ହଂସରାଜ କଲେଜର ୭୭ତମ ପ୍ରତିଷ୍ଠା ଦିବସରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ । ଶ୍ରୀ ଜିନ୍ଦଲ ଏହି କଲେଜର ପୂର୍ବତନ ଛାତ୍ର ଏବଂ ସେଠାରୁ ବାଣିଜ୍ୟରେ ଡିଗ୍ରୀ ହାସଲ କରିଛନ୍ତି । ଏହି ପ୍ରତିଭାବାନ ଛାତ୍ରଙ୍କ ସଫଳତା ପାଇଁ ହଂସରାଜ କଲେଜ ପକ୍ଷରୁ ତାଙ୍କୁ ମହାତ୍ମା ହଂସରାଜ ଗୌରବ ପୁରସ୍କାର ପ୍ରଦାନ କରାଯାଇଛି। ଦିଲ୍ଲୀ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ୟୋଗେଶ ସିଂହ ଓ ହଂସରାଜ କଲେଜର ଅଧ୍ୟକ୍ଷ ପ୍ରଫେସର ରମା ଏହି ପୁରସ୍କାର ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପରାଷ୍ଟ୍ରପତି ତଥା ଦିଲ୍ଲୀ ବିଶ୍ୱବିଦ୍ୟାଳୟର କୁଳପତି ଶ୍ରୀ ଜଗଦୀପ ଧନଖଡ  ତିରଙ୍ଗାକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ପାଇଁ ଶ୍ରୀ ନବୀନ ଜିନ୍ଦଲଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ଶ୍ରୀ ନବୀନ ଜିନ୍ଦଲ ତାଙ୍କ ଲକ୍ଷ୍ୟରେ ଏତେ ଉତ୍ସର୍ଗୀକୃତ ଯେ ବର୍ଷକୁ ୩୬୫ ଦିନ ତ୍ରିରଙ୍ଗା ଉଡ଼ାଇବା କରିବାର ଅଧିକାର ଭାରତୀୟଙ୍କୁ ଦେବା ପାଇଁ ସେ ଏହି ମାମଲାକୁ ସୁପ୍ରିମ୍ କୋର୍ଟକୁ ନେଇଥିଲେ ।