ସଂସଦରେ ନବୀନ ଯୋଜନାର ଉଦାହରଣ ଦେଲେ ପ୍ରଦୀପ

‘ଆୟୁଷ୍ମାନ କାର୍ଡରେ ମିଳୁ ବିଏସକେୱାଇ ଭଳି ସୁବିଧା’

ନୂଆଦିଲ୍ଲୀ, ୦୨/୦୮: ରାଜ୍ୟରେ ବିଜୁ ଜନତା ଦଳ ସରକାର କରିଥିବା ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗରିବଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ଆରମ୍ଭ କରିଥିଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। ଏହି ଅଧିନରେ ଜଟିଳ ରୋଗର ଚିକିତ୍ସା ପାଇଁ ପୁରୁଷଙ୍କୁ ୫ ଲକ୍ଷ ଟଙ୍କାର ସହାୟତା ଓ ମହିଳାମାନଙ୍କୁ ୧୦ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦେଉଥିଲେ। ଯାହା ଫଳରେ ଗରିବ ଶ୍ରେଣୀର ଲୋକେ ସୁଲଭ ମୂଲ୍ୟରେ ସ୍ୱାସ୍ଥ୍ୟ ସେବା ପାଇ ପାରୁଥିଲେ।

ବର୍ତ୍ତମାନ ଓଡ଼ିଶାରେ ବିଜେପି ସରକାର ଗଢିବା ପରେ ଆୟୁଷ୍ମାନ ଯୋଜନା ଲାଗୁ ହେବାକୁ ଯାଉଛି। ଏଥିରେ ୫ ଲକ୍ଷ ଟଙ୍କା ଯାଏଁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ସୁବିଧା ରହିଛି। ହେଲେ, ଆୟୁଷ୍ମାନ ଯୋଜନାରେ ମଧ୍ୟ ବିଏସକେୱାଇ କାର୍ଡ ଭରି ସୁବିଧା ଉପଲବ୍ଧ କରାଇବା ପାଇଁ ଦାବି କରିଛନ୍ତି ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ।

ଆଜି ସଂସଦରେ ଦାବି ଉପସ୍ଥାପନ କରି ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ କହିଛନ୍ତି, କୌଣସି ଜଟିଳ ରୋଗର ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କାର ଆବଶ୍ୟକତା ଥିବା ବେଳେ ଗରୀବ ଲୋକଙ୍କ ପାଇଁ ଏହି ରୋଗର ଚିକିତ୍ସା ପାଇଁ ଅର୍ଥ ଖର୍ଚ୍ଚ କରିବା ସମ୍ଭବ ନୁହେଁ। ତେଣୁ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବିଏସକେୱାଇ କାର୍ଡ ଯୋଜନାରେ ଗରୀବ ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଏ। ପୁରୁଷଙ୍କୁ ୫ ଲକ୍ଷ ଟଙ୍କା ଓ ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ସୁବିଧା ଥିଲା। ଏହିଭଳି ଆୟୁଷ୍ମାନ କାର୍ଡରେ ମଧ୍ୟ କେନ୍ଦ୍ର ସରକାର ଆର୍ଥିକ ସହାୟତା ବୃଦ୍ଧି କରିବା ଉଚିତ୍। ଯାହା ଫଳରେ ବହୁ ଲୋକ ଉପକୃତ ହୋଇପାରିବେ ବୋଲି ପ୍ରଦୀପ କହିଛନ୍ତି।