ଧାରା ୩୭୦ ଉଚ୍ଛେଦକୁ ପୂରିଲା ୫ ବର୍ଷ

ଆଜି ଜମ୍ମୁରୁ ଅମରନାଥ ଯାତ୍ରାକୁ ସ୍ଥଗିତ ରଖାଯାଇଛି।

ବ୍ଲାକ ଡେ ପାଳନ କରୁଛି ଜମ୍ମୁ-କାଶ୍ମୀର କଂଗ୍ରେସ, ଆଞ୍ଚଳିକ ଦଳ

ଜମ୍ମୁ-କାଶ୍ମୀର, ୦୫/୦୮: ଧାରା ୩୭୦ ଓ ୩୫ ଏ ଉଚ୍ଛେଦକୁ ଆଜି ପୁରୁଛି ପାଞ୍ଚ ବର୍ଷ। ୨୦୧୯ ଅଗଷ୍ଟ ୫ ତାରିଖରେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରି ଜମ୍ମୁ-କାଶ୍ମୀରକୁ ଏକ ସ୍ୱତନ୍ତ୍ର ରାଜ୍ୟରୁ ଜମ୍ମୁ-କାଶ୍ମୀର ଓ ଲଦାଖକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରାଯାଇଥିଲା।

ଆଜିର ଦିନକୁ ବ୍ଲାକ ଡେ ଭାବେ ପାଳନ କରିଛି ଜମ୍ମୁ-କାଶ୍ମୀର କଂଗ୍ରେସ ଓ ଆଞ୍ଚଳିକ ଦଳ ପିଡିପି। ସେହିପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବା ପାଇଁ ଜମ୍ମୁ-କାଶ୍ମୀର ପୋଲିସ ଓ ସେନା ପକ୍ଷରୁ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଜମ୍ମୁରୁ ଅମରନାଥ ଯାତ୍ରାକୁ ମଧ୍ୟ ବନ୍ଦ କରି ଦିଆଯାଇଛି।

ଜମ୍ମୁ-କାଶ୍ମୀରରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଏବଂ ପୂର୍ବରୁ ସତର୍କତାମୁଳକ ପଦକ୍ଷେପ ସ୍ୱରୂପ ପିଡିପି ଏବଂ ନ୍ୟାସନାଲ କନଫରେନ୍ସ (ଏନସି)ର ଅନ୍ୟ କେତେକ ସ୍ଥାନୀୟ ନେତାଙ୍କୁ ସୋମବାର ଗୃହବନ୍ଦୀ କରାଯାଇଛି ବୋଲି ସୂତ୍ରରୁ ସୂଚନା ମିଳିଛି। ସେହିପରି ଜମ୍ମୁ-କାଶ୍ମୀରର ଅଧିକାଂଶ ରାଜନୈତିକ ଦଳ ଧାରା ୩୭୦ ଉଚ୍ଛେଦକୁ ନିନ୍ଦା କରି ବ୍ଲାକ ଡେ ପାଳନ କରୁଥିବା ବେଳେ ବିଜେପି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରିଛି।

ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ଅଧ୍ୟକ୍ଷା ତଥା ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ ଗୃହବନ୍ଦୀ କରି ରଖାଯାଇଥିବା ଅଭିଯୋଗ ଆଣିଛନ୍ତି। ଜମ୍ମୁ-କାଶ୍ମୀର ନ୍ୟାସନାଲ କନଫରେନ୍ସର ମୁଖପାତ୍ର ତନବୀର ସାଦିକଙ୍କୁ ମଧ୍ୟ ଗୃହବନ୍ଦୀ କରାଯାଇଥିବା ଦାବି କରିଛନ୍ତି। ସାଦିକ୍ କହିଛନ୍ତି, ମୋତେ ଘରେ ଅଟକ ରଖାଯାଇଛି, ଯାହା ସମ୍ପୂର୍ଣ୍ଣ ଅନାବଶ୍ୟକ ଥିଲା। ମୋତେ କୌଣସି କାମରେ ବାହାରକୁ ଯିବାର ଥିଲା, କିନ୍ତୁ ମୋ ଗେଟ୍ ବାହାରେ ଥିବା ପୁଲିସ ମୋତେ ଏଥିରେ ବାଧା ଦେଇଥିଲା। ଏହା ଅଯଥା ଓ ବେଆଇନ ବୋଲି କହିଛନ୍ତି।