କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ୟୁଟ୍ୟୁବର ଗ୍ଲୋବାଲ୍ ସିଇଓ ନିଲ୍ ମୋହନ

• ଭାରତର କ୍ରିଏଟର ଅର୍ଥନୀତି ଓ ଡିଜିଟାଲ କ୍ଷେତ୍ରରେ ଥିବା ବ୍ୟାପକ ସମ୍ଭାବନା ଉପରେ ଫଳପ୍ରଦ ଆଲୋଚନା। • ଗୁଣାତ୍ମକ ବିଷୟବସ୍ତୁର ପ୍ରସାର ଓ ଚାହିଦାପୂର୍ଣ୍ଣ ଶିକ୍ଷା କ୍ଷେତ୍ରରେ ମାର୍ଗ ପ୍ରସ୍ତୁତ କରିବା ଦିଗରେ ବିଚାରବିମର୍ଶ।

ଗୁଣାତ୍ମକ ଶିକ୍ଷାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ଦିଗରେ ୟୁଟ୍ୟୁବ୍ ଅନ୍ୟତମ ମାଧ୍ୟମ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, ୮/୮: ଟେକ୍ନୋଲୋଜି ମାଧ୍ୟମରେ ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ସର୍ବବ୍ୟାପୀ କରିବା ସହ ଅତ୍ୟାଧୁନିକ ପଦ୍ଧତିରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପରିପ୍ରେକ୍ଷୀରେ ଗୁରୁବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଆଲୋଚନା କରିଛନ୍ତି ‘ୟୁଟ୍ୟୁବ’ର ଗ୍ଲୋବାଲ ସିଇଓ ନିଲ୍ ମୋହନ ।

ଭାରତର ଶିକ୍ଷା ପରିସଂସ୍ଥାନରେ ଗ୍ଲୋବାଲ୍ ଅନଲାଇନ୍ ଭିଡିଓ ସେୟାରିଂ ପ୍ଲାଟଫର୍ମ ‘ୟୁଟ୍ୟୁବ’ର କାର୍ଯ୍ୟ ଉପରେ ଫଳପ୍ରଦ ଆଲୋଚନା ହୋଇଥିବା କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ଏ ସମ୍ପର୍କରେ ‘ଏକ୍ସ’ରେ ସେ ଉଲ୍ଲେଖ କରିଛନ୍ତି ଯେ ଗୁଣାତ୍ମକ ଶିକ୍ଷାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ଟେକ୍ନୋଲୋଜିର ଉପଯୋଗ ଗୁରୁତ୍ୱପୂର୍ଣ୍ଣ । ଏହି ପରିପ୍ରେକ୍ଷୀରେ ୟୁଟ୍ୟୁବର ଗ୍ଲୋବାଲ ସିଇଓ ନିଲ୍ ମୋହନଙ୍କୁ ଭେଟି ଆନନ୍ଦିତ । କଣ୍ଟେଣ୍ଟ୍ କ୍ରିଏସନ୍ ସହ ଭାରତର କ୍ରିଏଟର ଅର୍ଥନୀତି, ବ୍ୟବହାର, ଆନୁଷଙ୍ଗିକ ବିଷୟବସ୍ତୁ ଓ ଡିଜିଟାଲ କ୍ଷେତ୍ରରେ ଥିବା ବ୍ୟାପକ ସମ୍ଭାବନା ଉପରେ ଫଳପ୍ରଦ ଆଲୋଚନା ହୋଇଛି । ଶିକ୍ଷା କ୍ଷେତ୍ରରେ ଡିଜିଟାଲ ସମ୍ବଳ ଏବଂ ବୈଷୟିକ ଜ୍ଞାନକୌଶଳର ବ୍ୟାପକ ବ୍ୟବହାର ହେଉଛି ଜାତୀୟ ଶିକ୍ଷା ନୀତିର ଏକ ପ୍ରମୁଖ ଚାବିକାଠି । କାରଣ ଟେକ୍ନୋଲୋଜି ମାଧ୍ୟମରେ ଶିକ୍ଷା ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ହୋଇପାରିବ । ଗୁଣାତ୍ମକ ଶିକ୍ଷା ପ୍ରଦାନରେ ବଡ ସୁଧାର ଆସିପାରିବ ।

ଭାରତର ଶିକ୍ଷା ପରିସଂସ୍ଥାନରେ ୟୁଟ୍ୟୁବ୍ କିପରି କାର୍ଯ୍ୟ କରିପାରିବ ସେ ଦିଗରେ ଗୁରୁତ୍ୱାରୋପ କରାଯାଇଛି । ବିଶେଷତଃ ଗୁଣାତ୍ମକ ବିଷୟବସ୍ତୁର ପ୍ରସାର, ଶିକ୍ଷଣ ଅନୁଭୂତିକୁ ପୂରଣ କରିବା ତଥା ଚାହିଦାପୂର୍ଣ୍ଣ ଶିକ୍ଷା କ୍ଷେତ୍ରରେ ମାର୍ଗ ପ୍ରସ୍ତୁତ କରିବା ଉପରେ ଫଳପ୍ରଦ ଆଲୋଚନା ହୋଇଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।