ୟୁଟ୍ୟୁବ ଦେଖି ବମ ତିଆରି କରିବା ହେଲା କାଳ

୫ ଶିଶୁ ଗୁରୁତର

ମୁଜାଫରପୁର, ୮/୮: ୟୁଟ୍ୟୁବ ଦେଖି ବମ ତିଆରି କରୁଥିଲେ କିଛି ଶିଶୁ। ହେଲେ ଏହା ତିଆରି କରିବା ସେମାନଙ୍କ ପାଇଁ ବିପଦ ସୃଷ୍ଟି କଲା। ବିହାରର ମୁଜାଫରପୁର ଜିଲ୍ଲାରେ ୟୁଟ୍ୟୁବରେ ଭିଡିଓ ଦେଖି ବୋମା ତିଆରି କରିବାକୁ ଚେଷ୍ଟା କରୁଥିବା ବେଳେ ବିସ୍ଫୋରଣ ହୋଇ ୫ ଜଣ ଶିଶୁ ଆହତ ହୋଇଛନ୍ତି।

ପିଲାମାନେ ଡିଆସିଲିରୁ ବାରୁଦ ବାହାର କରି ବ୍ୟାଟେରୀରେ ସଂଯୋଗ କରିଥିଲେ। ନିଆଁ ଜଳୁଥିବା ବେଳେ ଏହା ବିସ୍ଫୋରଣ ଘଟିଥିଲା। ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଅନ୍ୟ ୪ ଜଣଙ୍କ ଶରୀରର କିଛି ଅଂଶ ଅଳ୍ପ ପୋଡି ଯାଇଛି। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଗୟାଘାଟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ବିସ୍ଫୋରଣ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଏବଂ ଅନଲାଇନ କାର୍ଯ୍ୟକଳାପରୁ ପିଲାମାନଙ୍କୁ ନିବୃତ୍ତ ରଖିବାକୁ ଅଭିଭାବକଙ୍କୁ ଅନୁରୋଧ କରିଛନ୍ତି।