ବୁଧବାର ଅପରାହ୍ନ ୪ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ କୁମାର

ପାଟନା: ବିହାର ରାଜନୀତିରେ ଅଚାନକ ପରିବର୍ତ୍ତନ ଆସିଛି। ୨୦୧୭ରୁ ବିଜେପି ସହ ନୀତୀଶ କୁମାରଙ୍କ ଜେଡିୟୁ ମେଣ୍ଟର ମଙ୍ଗଳବାର ଅବସାନ ହୋଇଛି। ଏବେ ରାଷ୍ଟ୍ରୀୟ ଜନତାଦଳ (ଆରଜେଡି) ନେତୃତ୍ୱରେ ନୀତୀଶ ଚଳିତ ବିଧାନସଭା ଅଧିବେଶନର  ପରବର୍ତ୍ତି ପାଳି ସରକାର କରିବାକୁ ଯାଉଛନ୍ତି। ଏଥିଲାଗି ନୀତୀଶ ଅପରାହ୍ନରେ ରାଜ୍ୟପାଳ ଫାଗୁ ଚୌହାନଙ୍କୁ ଭେଟିଥିବା ବେଳେ ପଦରୁ ଇସ୍ତଫା ଦେବା ସହ ସରକାର ଗଢିବା ଲାଗି ଦାବି ଉପସ୍ଥାପନ କରିଛନ୍ତି।

ସରକାର ଗଠନ ନିମନ୍ତେ ଦାବି ଉପସ୍ଥାପନ ପରେ ନୀତୀଶ ଓ ତେଜସ୍ୱୀ ଏକ ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ଏଥିରେ ବିଧାନସଭାରେ କେବଳ ବିଜେପିକୁ ଛାଡି ବାକି ଦଳ ଓ ସଦସ୍ୟମାନେ ନୀତିଶଙ୍କୁ ସେମାନଙ୍କର ସର୍ବ ସମ୍ମତ ନେତା ସ୍ୱୀକାର କରୁଥିବା ଆରଜେଡି ନେତା ତେଜସ୍ୱୀ ଯାଦବ ଘୋଷଣା କରିଛନ୍ତି। ଏହା ସହ ବୁଧବାର ଅପରାହ୍ନ ୪ଟାରେ ନୀତୀଶ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି କହିଛନ୍ତି।

ଏହି ଅବସରରେ ବରିଷ୍ଠ ନେତା ଶରଦ ଯାଦବ ରାଜ୍ୟରେ ଲୋକେ ଗତ ନିର୍ବାଚନରେ ଯେଉଁ ମେଣ୍ଟକୁ ଭୋଟ ଦେଇଥିଲେ ସେହି ମେଣ୍ଟ ଏବେ ସରକାର କରିବାକୁ ଯାଉଛି। ରାଜ୍ୟରେ ବିଜେପି-ଜେଡିୟୁ ସରକାର ଲୋକଙ୍କ ଜନାଦେଶ ଅନୁସାରେ ନଥିଲା ବୋଲି ଯାଦବ କହିଛନ୍ତି। ଏବେ ହେବାକୁ ଯାଉଥିବା ସରକାର ଜନତାଙ୍କ ଅନୁରୂପ ହେବ ବୋଲି ସେ କହିଛନ୍ତି।