ଓଡ଼ିଆ ହକି ତାରକା ଅମିତଙ୍କୁ ସମ୍ବର୍ଦ୍ଧିତ କଲେ ନବୀନ

ନବୀନ ନିବାସରେ ଅମିତଙ୍କୁ ରୂପା ତାରକସିର ରଥାରୂଢ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପ୍ରତିମୂର୍ତ୍ତି ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ।

ନବୀନଙ୍କୁ ପ୍ୟାରିସ ଅଲିମ୍ପିକ୍ସର ମାସ୍କଟ ଦେଲେ ଅମିତ

ଭୁବନେଶ୍ବର, ୧୬/୮: ନବୀନ ନିବାସରେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଭାରତୀୟ ହକି ଦଳର ଓଡ଼ିଆ ତାରକା ଅମିତ ରୋହିଦାସ। ନବୀନ ନିବାସରେ ଅମିତଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ନବୀନ ପଟ୍ଟନାୟକ। ଅମିତଙ୍କୁ ରୂପା ତାରକସିର ରଥାରୂଢ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପ୍ରତିମୂର୍ତ୍ତି ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହା ସହ ଆଗାମୀ ଲସଏଞ୍ଜେଲସ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ପାଇଁ କାମନା କରିଛନ୍ତି ନବୀନ।

ଓଡ଼ିଶାର ହକି ତାରକା ଅମିତ ରୋହିଦାସ ଦେଶର ଗୌରବ। ପ୍ୟାରିସ ଅଲମ୍ପିକରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଭାରତୀୟ ହକି ଦଳକୁ ସେ ସଫଳତା ଆଣିଦେଇଛନ୍ତି। ତାଙ୍କୁ ଭେଟି, ସମ୍ବର୍ଦ୍ଧିତ କରି ବହୁତ ଖୁସି। ଆଗାମୀଦିନରେ ତାଙ୍କର ଆହୁରି ସଫଳତା କାମନା କରୁଛି ବୋଲି ନବୀନ ପଟ୍ଟନାୟକ କହିଛନ୍ତି। ଭାରତୀୟ ହକି ଦଳକୁ ପ୍ରୋତ୍ସାହିତ କରିଥିବାରୁ ନବୀନଙ୍କୁ କୃତଜ୍ଞତା ଜଣାଇବା ସହିତ ପ୍ୟାରିସ ଅଲିମ୍ପିକ୍ସର ମାସ୍କଟ ପ୍ରଦାନ କରିଛନ୍ତି ଅମିତ।