ଆସନ୍ତା ବର୍ଷ ହେବ ଛାତ୍ର ସଂସଦ ନିର୍ବାଚନ

ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା

ଭୁବନେଶ୍ବର, ୧୯/୮: ଆସନ୍ତା ବର୍ଷ ହେବ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ। ୨୦୨୫ରେ ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ହେବ ବୋଲି ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ହରିଚନ୍ଦନ ଗଣମାଧ୍ୟମକୁ କହିଛନ୍ତି, ସାଧାରଣତଃ ପ୍ରତିବର୍ଷ ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହରେ ନିର୍ବାଚନ ହୋଇଥାଏ। ଚଳିତ ବର୍ଷ ବିଜେପି ସରକାରକୁ ଆସିବା ପରେ ଏଥିପ୍ରତି ନିଷ୍ପତ୍ତି ନେବା ପାଇଁ ଆବଶ୍ୟକୀୟ ସମୟ ମିଳିନଥିଲା। ଆସନ୍ତା ବର୍ଷ ନିର୍ବାଚନରେ ଲଢିବା ପାଇଁ ଚଳିତ ବର୍ଷଠାରୁ କଲେଜ ଗୁଡିକ ପ୍ରସ୍ତୁତ ହେବେ।

ଉଲ୍ଲେଖଯୋଗ୍ୟ ଯେ, ୨୦୧୮ରୁ ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନକୁ ବିଭିନ୍ନ ଆଳରେ ବନ୍ଦ କରାଯାଇଥିଲା। ୨୦୧୮ରେ ବାତ୍ୟା ତିତଲି ଯୋଗୁଁ ଛାତ୍ର ସଂସଦ ନିର୍ବାଚନ ସ୍ଥଗିତ ରହିଥିବା ବେଳେ ୨୦୧୯ରେ ରାଜ୍ୟ ସରକାର ପୁଣି ଥରେ ନିର୍ବାଚନ ବାତିଲ କରିଥିଲେ। ସେହିପରି ୨୦୨୦ ଓ ୨୦୨୧ରେ ମଧ୍ୟ କୋଭିଡ୍-୧୯ ମହାମାରୀ ଓ ଲକଡାଇନ କାରଣରୁ ନିର୍ବାଚନ ହୋଇନଥିଲା। ବିଜେପି ସରକାରକୁ ଆସିବା ପରେ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ହେବ ବୋଲି କହିଥିଲେ।