ସର୍ବ ଭାରତୀୟ ଏସସିଟିଆରଇଏ ନୂତନ କାର୍ଯ୍ୟାଳୟ ଉଦଘାଟିତ

ପୂର୍ବତଟ ରେଲୱେରେ ମହିଳା ହକି ଦଳ ଗଠନ ପାଇଁ ପ୍ରସ୍ତାବ

ଭୁବନେଶ୍ବର, ୧୯/୮: ସ୍ବାଧୀନତା ଦିବସ ଅବସରରେ ଚନ୍ଦ୍ରଶେଖରପୁର ସ୍ଥିତ ରେଳବିହାର ପରିସରରେ ସର୍ବ ଭାରତୀୟ ଅନୁସୂଚୀତ ଜାତି ଓ ଉପଜାତି ରେଳବାଇ କର୍ମଚାରୀ ଅନୁଷ୍ଠାନର (AISCTREA) ପୂର୍ବତଟ ରେଲୱେର ମୁଖ୍ୟାଳୟ ଶାଖା ଉଦ୍ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ପୂର୍ବତଟ ରେଲୱେର ଅପର ମହାପ୍ରବନ୍ଧକ ଶ୍ରୀଯୁକ୍ତ ମହେଶ କୁମାର ବେହେରା ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ଥିଲେ। ଶାଖା ସଭାପତି ଶ୍ରୀ ତେଜରାଜ ଦେହେରୀ, ସଚିବ ଶ୍ରୀ ଉମାକାନ୍ତ ସେଠୀ, କୋଷାଧ୍ୟକ୍ଷ ଶ୍ରୀମତୀ ପୌଲିନା ସୋରିନ ତଥା ଅନ୍ୟାନ୍ୟ ସଦସ୍ୟମାନଙ୍କ ଉପସ୍ଥିତିରେ ଜାତୀୟ ପତାକା ଉତ୍ତୋଳନ, ଫଳକ ଉନ୍ମୋଚନ ଓ ନୂତନ ଗୃହର ଉଦଘାଟନ କରିବା ସହ ଭାରତରତ୍ନ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ପ୍ରତିକୃତିରେ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ।
ଏହି ଅବସରରେ ସଚିବ ଶ୍ରୀ ସେଠୀ ଆସୋସିଏସନର ବିଗତ ଦିନର କାର୍ଯ୍ୟ ସହିତ ଆଗାମୀ କାର୍ଯ୍ୟମାନଙ୍କ ସୂଚନା ଏବଂ ଆବଶ୍ୟକ ସାଧନ ବିଷୟରେ ଦୃଷ୍ଟି ଆକର୍ଷଣ କରିଥିଲେ। ତତ୍ ସହିତ ପୂର୍ବତଟ ରେଲୱେରେ ଏକ ମହିଳା ହକି ଦଳ ଗଠନ ନିମନ୍ତେ ପ୍ରସ୍ତାବ ଦେଇଥିଲେ। ମୁଖ୍ୟ ଅତିଥି ପ୍ରସ୍ତାବକୁ ସ୍ଵାଗତ କରିବା ସହ ଉକ୍ତ ବିଷୟରେ ସମ୍ୟକ୍ ଆଲୋଚନା କରିଥିଲେ ଓ ବ୍ୟକ୍ତିଗତ ସ୍ବାର୍ଥରୁ ଉର୍ଦ୍ଧକୁ ଉଠି ସାମୁହିକ ଭାବେ ସମାଜର ଉନ୍ନତି ପାଇଁ ଉପଦେଶ ଦେଇଥିଲେ। ଶେଷରେ ସଭାପତି ଶ୍ରୀ ଦେହେରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।