କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଅସୁସ୍ଥ

ଗତ ୧୧ ତାରିଖରେ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଥିଲେ।

ଦିଲ୍ଲୀ ଏମ୍ସରେ ଭର୍ତ୍ତି

ଭୁବନେଶ୍ୱର, ୨୦/୮: କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଅସୁସ୍ଥ ହୋଇ ପଡିଥିବାର ସୂଚନା ମିଳିଛି। ଡେଙ୍ଗୁରେ ଆକ୍ରାନ୍ତ ହୋଇ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ସୋମବାର ବିଳମ୍ବିତ ରାତିରେ ତାଙ୍କୁ ଏମ୍ସର ନ୍ୟୁ ପ୍ରାଇଭେଟ ୱାର୍ଡ଼ରେ ଭର୍ତ୍ତି କରାଯାଇଛି। ଛାତି ରୋଗ ବିଭାଗର ମୁଖ୍ୟ ଡକ୍ଟର ଅନନ୍ତ ମୋହନଙ୍କ ତତ୍ତ୍ୱାବଧାନରେ ଚିକିତ୍ସା ଚାଲିଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଅଗଷ୍ଟ ୧୧ ତାରିଖରେ ଓରାମ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଥିଲେ। ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୁସ୍ଥ ହୋଇ ଘରକୁ ଫେରିଥିଲେ। ହେଲେ, ତାଙ୍କ ପତ୍ନୀଙ୍କ ବିୟୋଗ ପରେ ସେ ହଠାତ୍ ଅସୁସ୍ଥ ହୋଇ ପଡିଥିଲେ।

ସୂଚନାଯୋଗ୍ୟ, କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମଙ୍କ ଦେହାନ୍ତ ୫୮ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଡେଙ୍ଗୁ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିବା ଅବସ୍ଥାରେ ଶନିବାର ରାତି ୧୦ଟା ୫୦ ମିନିଟରେ ତାଙ୍କର ମୃତ୍ୟୁ ଘଟିଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀଙ୍କ ସମେତ ବହୁ ମନ୍ତ୍ରୀ ଓ ନେତା ତାଙ୍କ ବିୟୋଗରେ ଭୁବନେଶ୍ବରର ଲୁମ୍ବିନୀବିହାରସ୍ଥିତ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।