ଆରମ୍ଭ ହେଲା ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ

ପ୍ରଥମ ଦିନରେ ହିଁ ବିରୋଧୀ ମାନେ ପ୍ରବଳ ହଟ୍ଟଗୋଳ ଆରମ୍ଭ କରିଛନ୍ତି।

୧୧.୪୦ ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର, ୨୦/୮: ଆଜିଠୁ ଆରମ୍ଭ ହୋଇଛି ଓଡ଼ିଶା ସପ୍ତଦଶ ବିଧାନସଭାର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ। ଓଡ଼ିଶା ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜୁଲାଇ ୩୧ରେ ଶେଷ ହୋଇ ଅଗଷ୍ଟ ୨୦ରେ ଯାଏଁ ମୁଲତବୀ ରଖାଯାଇଥିଲା। ବାଚସ୍ପତି ସୁରମା ପାଢ଼ୀ ଗୃହକୁ ଅଗଷ୍ଟ ୨୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ତେବେ ଆଜିଠୁ ଆରମ୍ଭ ହୋଇ ସେପ୍ଟେମ୍ବର ୧୩ ପର୍ଯ୍ୟନ୍ତ ଅଧିବେଶନ ଚାଲିବ। ଚଳିତ ଅଧିବେଶନରେ ମୋଟ ୨୭ଟି କାର୍ଯ୍ୟଦିବସ ରହିବ।

ତେବେ ଗୃହର ପ୍ରଥମ ଦିନରେ ବି ସୁରୁଖୁରୁରେ ଚାଲି ପାରିନାହିଁ। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ବିଧାନସଭାକୁ ପୂର୍ବାହ୍ନ ୧୧ଟା ୪୧ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଚଳିତ ବର୍ଷ ଛାତ୍ର ନିର୍ବାଚନ ବାତିଲ ପ୍ରସଙ୍ଗ ଉଠାଇ କଂଗ୍ରେସ ଗୃହରେ ପ୍ରବଳ ହଙ୍ଗାମା କରିବାରୁ ବାଚସ୍ପତି ଗୃହକୁ ମୁଲତବୀ ରଖିଥିଲେ।

ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଚାଲିଥିବା ବେଳେ ଜୁଲାଇ ୨୫ରେ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଥିଲେ।