ବୁଧବାର ସାରା ରାଜ୍ୟରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ ଥିବା ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ମଙ୍ଗଳବାର ଅବପାତ ରୂପ ନେଇଛି । ଓଡ଼ିଶା ଉପକୂଳ ସଂଲଗ୍ନ ଅଞ୍ଚଳରେ ଥିବା ଏହି ଅବପାତ ଉତ୍ତର ପଶ୍ଚିମ ଦିଗରେ ଗତି କରି ଛତିଶଗଡ଼ ଆଡ଼କୁ ମୁହାଁଉଛି । ତେବେ ଏହି ଅବପାତ ପ୍ରଭାବରେ ବୁଧବାର ରାଜ୍ୟରେ ପ୍ରବଳ ବର୍ଷା ହେବ ।

ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଭୀଷଣ ବର୍ଷା ଛେଚିବ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏଭଳି ସତର୍କ କରାଇଛି । କିନ୍ତୁ ବୁଧବାର ଛତିଶଗଡ଼ରେ ପହଞ୍ଚିବା ପରେ ଏହି ଅବପାତ ଦୁର୍ବଳ ହୋଇଯିବ ବୋଲି ସାନି ପୂର୍ବାନୁମାନ କରାଯାଇଛି ।

ଉପକୂଳ ଓଡ଼ିଶା ଉପରେ ଅବପାତ ସୃଷ୍ଟି ହୋଇଥିବାରୁ ପ୍ରବଳ ବର୍ଷା ସହ ଅଧିକ ବେଗରେ ପବନ ବହିବାର ଆଶଙ୍କା ରହିଛି । ଘଣ୍ଟାପ୍ରତି ୪୫ରୁ ୫୫ କିମି ବେଗରେ ପବନ ବହିପାରେ । ମତ୍ସଜୀବୀମାନେ ୧୧ତାରିଖ ଯାଏ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।

ବୁଧବାର ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ, କଟକ, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ପ୍ରବଳ ବର୍ଷା ଆଶଙ୍କା ରହିଛି ।