ମମତା ମହନ୍ତ ରାଜ୍ୟସଭା ପ୍ରାର୍ଥୀ

ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ଭୁବନେଶ୍ୱର, ୨୦/୮: ଆଜି ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ମମତା ମହନ୍ତଙ୍କୁ ବିଜେପିର ରାଜ୍ୟସଭା ପ୍ରାର୍ଥୀ ଭାବେ ମନୋନୀତ କରାଯାଇଛି। ବିଜେପି ରାଷ୍ଟ୍ରୀୟ ମହାସଚିବ ତଥା ମୁଖ୍ୟାଳୟ ପ୍ରଭାରୀ ଅରୁଣ ସିଂହ ତାଙ୍କ ନାମ ଘୋଷଣା କରିଛନ୍ତି। ମୟୂରଭଞ୍ଜ ଜିଲ୍ଲା କୁଡୁମି ସମ୍ପ୍ରଦାୟର ବରିଷ୍ଠ ନେତ୍ରୀ ମମତା ମହନ୍ତ ୨୦୨୦ ମସିହାରେ ବିଜେଡି ଟିକେଟରୁ ରାଜ୍ୟସଭାକୁ ଯାଇଥିଲେ। ତେବେ ଚଳିତ ବର୍ଷ ଜୁଲାଇ ୩୧ ତାରିଖରେ ବିଜେଡି ଓ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ ଏବଂ ଅଗଷ୍ଟ ୧ ତାରିଖରେ ବିଜେପିରେ ଯୋଗ ଦେଇଥିଲେ। ତେଣୁ ଓଡ଼ିଶାରୁ ରାଜ୍ୟସଭା ପାଇଁ ଏହି ଗୋଟିଏ ଆସନ ଖାଲି ପଡ଼ିଥିଲା। ତେବେ, ଏଥର ବିଧାନସଭାରେ ବିଜେପିର ସଂଖ୍ୟା ଗରିଷ୍ଠତା ଅଧିକ ଥିବା ବେଳେ ବିଜେପିରୁ ରାଜ୍ୟସଭାକୁ କିଏ ଯିବେ ସେ ନେଇ ଚର୍ଚ୍ଚା ମଧ୍ୟ ଜୋର୍ ଧରିଥିଲା। ଅନ୍ୟପଟେ ମମତା ମହନ୍ତଙ୍କୁ ବିଜେପି ସାଂସଦ ପଦ ପାଇଁ ପୁଣି ରିପିଟ୍ କରିପାରେ ବୋଲି ଅନୁମାନ କରାଯାଉଥିଲା। ଆଜି ମମତାଙ୍କ ନାମ ଘୋଷଣା ପରେ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି।

ଆସନ୍ତାକାଲି ନାମାଙ୍କନପତ୍ର ଦାଖଲ ପାଇଁ ଶେଷ ତାରିଖ ଥିବା ବେଳେ ୨୨ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। ୨୭ ତାରିଖ ସୁଦ୍ଧା ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରି ପାରିବେ ପ୍ରାର୍ଥୀ। ସେପ୍ଟେମ୍ବର ୩ ତାରିଖରେ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ହେବ ନିର୍ବାଚନ। ସେହିଦିନ ହିଁ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। ଦେଶରେ ୯ଟି ରାଜ୍ୟର ୧୨ଟି ଆସନ ପାଇଁ ରାଜ୍ୟସଭା ଉପନିର୍ବାଚନ ଅନୁଷ୍ଠିତ ହେବ।