ନିମାପଡା ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ କାଟ ଖାଇଲା

ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ସମୀର ଦାସଙ୍କୁ ଶକ୍ତ ଝଟକା

ବିଜେଡି ଅଧ୍ୟକ୍ଷ ପଦ ବଜାୟ ରଖିଲା

ଭୁବନେଶ୍ୱର, ୨୦/୮: ନିମାପଡା ଏନଏସି ଅଧ୍ୟକ୍ଷାଙ୍କ ବିରୋଧରେ ଆଜି ଅନୁଷ୍ଠିତ ହୋଇଥିବା ଅନାସ୍ଥା ପ୍ରସ୍ତାବ ଭୋଟରେ ଦୁଇ ତୃତୀୟାଂଶ ଭୋଟ ନପଡିବାରୁ ପ୍ରସ୍ତାବଟି ଖାରଜ ହୋଇଯାଇଛି । ତେଣୁ ଅଧ୍ୟକ୍ଷ ପଦରେ ଥିବା ବିଜୁ ଜନତା ଦଳର ସସ୍ମିତା ସାହୁ ପଦ ବଜାୟ ରଖିବା ନିଶ୍ଚିତ ହୋଇଯାଇଛି । ଅନାସ୍ଥା ପ୍ରସ୍ତାବ କାଟ ଖାଇବା ବିଜୁ ଜନତା ଦଳ ପାଇଁ ଗୋଟିଏ ବଡ଼ ବିଜୟ ବୋଲି ବିବେଚନା କରାଯାଉଥିଲା ବେଳେ ଭାରତୀୟ ଜନତା ପାର୍ଟି, ବିଶେଷକରି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ବିଜେଡିରୁ ଟିକେଟ ବଞ୍ଚିତ ହେବା ପରେ ବିଜେପିକୁ ଯାଇଥିବା ସମୀର ଦାସଙ୍କ ପାଇଁ ଏକ ଲଜ୍ଜ୍ୟାଜନକ ପରିସ୍ଥିତି ସୃଷ୍ଟି ହୋଇଛି ।

ଉଲ୍ଲେଖଯୋଗ୍ୟ, ୧୧ ସଦସ୍ୟ ଏନଏସିରେ ୮ ଜଣ ସଦସ୍ୟ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ଆଜି ଅନୁଷ୍ଠିତ ଅନାସ୍ଥା ଭୋଟରେ ୮ଟି ଭୋଟର ଆବଶ୍ୟକ ହେଉଥିଲା । କିନ୍ତୁ, ଅନାସ୍ଥା ଭୋଟ ବିପକ୍ଷରେ ସାତଟି ଭୋଟ ପଡିଥିଲା ବେଳେ ଗୋଟିଏ ଭୋଟ ନାକଚ ହୋଇ ଯାଇଥିଲା । ବିଜୁ ଜନତା ଦଳ ତରଫରୁ ଦିଆଯାଇଥିବା ଏକ ପ୍ରେସ ବିବୃତିରେ ଦଳର ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ହୋଇଥିବା ବିଭିନ୍ନ ପଦରେ ଥିବା ବ୍ୟକ୍ତିଙ୍କୁ ପ୍ରଲୋଭନ ମାଧ୍ୟମରେ ପଦଚ୍ୟୁତ କରିବା ପାଇଁ ହୀନ ଉଦ୍ୟମ କରିଆସୁଛି ବିଜେପି । ବିଜେପିର ଏହି ଉଦ୍ୟମ ଆଜି ପଣ୍ଡ ହୋଇଯାଇଛି । ବିଜେପିର ଏହି ଅନୈତିକ କାର୍ଯ୍ୟ ପଦାରେ ପଡିବା ସଙ୍ଗେ ସଙ୍ଗେ ଆଗାମୀ ଦିନ ପାଇଁ ଏହା ଏକ ସତର୍କ ଘଣ୍ଟି ସଦୃଶ୍ୟ ହୋଇଛି ।