ଫେବୃଆରୀ ୨୫ରୁ +୨ ପରୀକ୍ଷା

ବଦଳିଲା ଯୁକ୍ତ ଦୁଇ ପରୀକ୍ଷା ପ୍ରଶ୍ନପତ୍ର ଢାଞ୍ଚା।

ଏଥର ୩୦ ନୁହେଁ ୨୪ ମାର୍କ ରଖିଲେ ପାସ୍

ଭୁବନେଶ୍ବର : ପ୍ରକାଶ ପାଇଲା ୨୦୨୫ ଯୁକ୍ତ ଦୁଇ ପରୀକ୍ଷା ସୂଚୀ। ଆସନ୍ତା ଫେବୃଆରୀ ୧୫ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ବୋର୍ଡ ପରୀକ୍ଷା। ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପକ୍ଷରୁ ଅସ୍ଥାୟୀ ତାରିଖ ଘୋଷଣା କରାଯାଇଛି। ଫେବୃଆରୀ ୧୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୫ ଯାଏଁ ଚାଲିବ ପରୀକ୍ଷା। ପ୍ରାକ୍ଟିକାଲ ଏବଂ ଇଣ୍ଟରନାଲ ପରୀକ୍ଷା ଡିସେମ୍ବର ୨୬ରୁ ଆରମ୍ଭ ହୋଇ ଜାନୁଆରୀ ୧୫ରେ ଶେଷ ହେବ। ତେବେ, ଆବଶ୍ୟକ ପଡ଼ିଲେ, ତାରିଖ ପରିବର୍ତ୍ତନ ହୋଇପାରେ। ପରୀକ୍ଷାର୍ଥୀମାନେ ଆଗୁଆ ପରୀକ୍ଷା ପାଇଁ ପ୍ରସ୍ତୁତ ହେବେ ଓ ମାନସିକ ଚାପ ହ୍ରାସ କରିବା ପାଇଁ ଏଭଳି ଆଗୁଆ ତାରିଖ ଘୋଷଣା କରାଯାଇଛି।

ସେହିଭଳି ଯୁକ୍ତ ଦୁଇ ପରୀକ୍ଷା ପ୍ରଶ୍ନପତ୍ର ଢାଞ୍ଚା ମଧ୍ୟ ବଦଳିଛି। ସାଧାରଣତଃ ୧୦୦ ମାର୍କ ଥାଏ ପରୀକ୍ଷାରେ। ହେଲେ, ଏଥର ଏହାକୁ ପରିବର୍ତ୍ତନ କରାଯାଇ ୮୦ ମାର୍କ ରଖାଯାଇଛି। ଥିଓରୀ ପାଇଁ ୮୦ ମାର୍କରୁ ଅତି କମରେ ୨୪ ମାର୍କ ରଖିବାକୁ ପଡିବ। ୨୪ ମାର୍କ ରଖିଲେ ପାସ ହୋଇ ପାରିବେ ଛାତ୍ରଛାତ୍ରୀ। ନହେଲେ ଫେଲ ବୋଲି ବିବେଚନା କରାଯିବ। ବାକି ୨୦ ମାର୍କ ଇଣ୍ଟରନାଲ ପରୀକ୍ଷା ହେବ। ସେଥିରେ ପରୀକ୍ଷାର୍ଥୀ ଯେତିକି ମାର୍କ ରଖିବେ, ତାହାକୁ ମୋଟ ମାର୍କ ସହ ମିଶାଯିବ। ହେଲେ, ପାସ୍ ଓ ଫେଲ ଧାର୍ଯ୍ୟ ପାଇଁ ଥିଓରୀ ମାର୍କ ସହ ଯୋଡାଯିବ ନାହିଁ। ଇଂରାଜୀ ଓ ମାତୃଭାଷାରୁ ରଚନାକୁ ବାଦ ଦିଆଯାଇଛି। ପ୍ରଶ୍ନପତ୍ରରେ ୧୦ ମାର୍କ ବିଶିଷ୍ଟ ପ୍ରଶ୍ନ ଆସିବ ନାହିଁ ବୋଲି ବୋର୍ଡ଼ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।