ନାମାଙ୍କନ ଭରିଲେ ମମତା ମହାନ୍ତ

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ଦାଖଲ

ଭୁବନେଶ୍ବର, ୨୧/୮: ନାମାଙ୍କନ ପତ୍ର ଦାଖଲ କଲେ ବିଜେପି ରାଜ୍ୟସଭା ପ୍ରାର୍ଥୀ ମମତା ମହାନ୍ତ। ମମତା ବିଧାନସଭାକୁ ଯାଇ ରାଜ୍ୟସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ନାମାଙ୍କନ ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଉପସ୍ଥିତ ଥିଲେ।

ଶାସକ ବିଜେପି ପାଖରେ ଆବଶ୍ୟକ ସଂଖ୍ୟକ ଗରିଷ୍ଠତା ଅଧିକ ଥିବାରୁ ମମତା ରାଜ୍ୟସଭାକୁ ଯିବା ନିଶ୍ଚିତ। ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ରାଜ୍ୟସଭା ଉପନିର୍ବାଚନ ଅନୁଷ୍ଠିତ ହେବ। ସେହିଦିନ ଅପରାହ୍ନ ୫ଟାରେ ଭୋଟ ଗଣତି କରାଯାଇ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ।

ଉଲ୍ଲେଖଯୋଗ୍ୟ, ମମତା ନିକଟରେ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବା ସହ ବିଜେଡିରୁ ମଧ୍ୟ ଇସ୍ତଫା ଦେଇଥିଲେ। ଏହାର ଗୋଟିଏ ଦିନ ପରେ ସେ ବିଜେପିରେ ଯୋଗ ଦେଇଥିଲେ। ତେବେ ଏହି ଗୋଟିଏ ପଦ ଖାଲି ପଡିଥିଲା। ବିଜେପି ମଙ୍ଗଳବାର ମମତାଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଥିଲା।