‘ସୁଭଦ୍ରା’ ଯୋଜନା ପାଇଁ ଆସିଲା ଏସଓପି

ବିଧାନସଭାରେ ସୁଭଦ୍ରା ଯୋଜନା ପାଇଁ ଏସ୍ଓପି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

୫ ବର୍ଷରେ ମିଳିବ ୫୦ ହଜାର

ଭୁବନେଶ୍ବର, ୨୩/୮: ଆସିଲା ବହୁପ୍ରତିକ୍ଷୀତ ସୁଭଦ୍ରା ଯୋଜନା ପାଇଁ ଏସଓପି। ଆଜି ବିଧାନସଭାରେ ସୁଭଦ୍ରା ଯୋଜନା ପାଇଁ ଏସଓପି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଦୁଇ ବର୍ଷରେ କିସ୍ତି ମାଧ୍ୟମରେ ୨୦ ହଜାର ଟଙ୍କା ବଣ୍ଟନ କରାଯିବ। ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମା ଓ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ୫ ହଜାର ଟଙ୍କା ଲେଖାଏଁ ମିଳିବ। ବାର୍ଷିକ ୧୦ ହଜାର ଟଙ୍କା ଆକାରରେ ୫ ବର୍ଷରେ କିସ୍ତି ମାଧ୍ୟମରେ ୫୦ ହଜାର ଟଙ୍କା ମିଳିବ। ସ୍ୱଚ୍ଛତାକୁ ସୁନିଶ୍ଚିତ କରିବା ପାଇଁ ଡିବିଟି ମାଧ୍ୟମରେ ଟଙ୍କା ପ୍ରଦାନ କରାଯିବ। ମହିଳାଙ୍କୁ ଏଥିପାଇଁ ସୁଭଦ୍ରା ଡେବିଟ୍ କାର୍ଡ ମଧ୍ୟ ମିଳିବ। ପ୍ରାୟ ୧ କୋଟି ମହିଳା ଏହି ଯୋଜନାର ଲାଭ ଉଠାଇ ପାରିବେ।

ଏଥିପାଇଁ ୫୫,୮୨୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।ଯେଉଁଥିରେ ୨୧ରୁ ୬୦ ବର୍ଷ ବୟସର ମହିଳାଙ୍କୁ ସାମିଲ କରାଯିବ। ୨୦୨୪-୨୫ରୁ ୨୦୨୮-୨୯ ପର୍ଯ୍ୟନ୍ତ ଏହି ଯୋଜନା କାର୍ଯ୍ୟକାରୀ ହେବ। ଯେଉଁ ମହିଳାମାନେ ଅନ୍ୟ କୌଣସି ସରକାରୀ ଯୋଜନାରେ ମାସିକ ୧୫୦୦ ଟଙ୍କା କିମ୍ବା ତା’ଠାରୁ ଅଧିକ କିମ୍ବା ବାର୍ଷିକ ୧୮,୦୦୦ ଟଙ୍କା କିମ୍ବା ତା’ଠାରୁ ଅଧିକ ସହାୟତା ପାଉଛନ୍ତି ସେମାନେ ମଧ୍ୟ ସୁଭଦ୍ରା ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ ହେବା ପାଇଁ ଅଯୋଗ୍ୟ ହେବେ। ସେହିପରି ସରକାରୀ କର୍ମଚାରୀ ଓ ଟ୍ୟାକ୍ସ ପେ କରୁଥିବା ମହିଳାମାନେ ଏହି ଯୋଜନାରେ ସାମିଲ ହୋଇ ପାରିବେ ନାହିଁ।

ଏହି ଯୋଜନାର ଲାଭ ଉଠାଇବା ପାଇଁ ମହିଳାମାନେ ଅଙ୍ଗନବାଡି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର ଏବଂ ଜନସେବା କେନ୍ଦ୍ରରେ ମାଗଣାରେ ଉପଲବ୍ଧ ଫର୍ମ ପୂରଣ କରି ଆବେଦନ କରିପାରିବେ।