କିଭରେ ମୋଦିଙ୍କୁ ଭବ୍ୟ ସ୍ୱାଗତ

ପ୍ରଧାନମନ୍ତ୍ରୀ ମୋଦୀ ଦିନିକିଆ ୟୁକ୍ରେନ ଗସ୍ତରେ ଯାଇ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କୁ ଭେଟିବେ।

ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ୟୁକ୍ରେନ ଗସ୍ତ

କିଭ୍, ୨୩/୮: ୟୁକ୍ରେନର ରାଜଧାନୀ କିଭରେ ଯାଇ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଭରେ ପହଞ୍ଚିବା ପରେ ୟୁକ୍ରେନର ପ୍ରତିନିଧିମାନେ ତାଙ୍କୁ ସ୍ୱାଗତ କରିଥିଲେ। ୧୯୯୧ରେ ସୋଭିଏତ ୟୁନିୟନଠାରୁ ଅଲଗା ହୋଇ ୟୁକ୍ରେନ ସ୍ୱତନ୍ତ୍ର ରାଷ୍ଟ୍ର ଭାବେ ଗଠନ ହେବା ପରେ ନରେନ୍ଦ୍ର ମୋଦି ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ, ଯିଏ ୟୁକ୍ରେନ ଗସ୍ତରେ ଯାଇଛନ୍ତି।

ପୋଲାଣ୍ଡ ଗସ୍ତ ସାରି ଫେରିବା ପରେ ମୋଦି ପୋଲାଣ୍ଡରୁ ‘ରେଳ ଫୋର୍ସ ୱାନ’ ଟ୍ରେନ ଯୋଗେ ୧୦ ଘଣ୍ଟାର ଯାତ୍ରା ସାରି ୟୁକ୍ରେନରେ ଯାଇ ପହଞ୍ଚିଛନ୍ତି। ୟୁକ୍ରେନରେ ମୋଦି ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କୁ ଭେଟିବା ସହ ଋଷ ସହିତ ଚାଲିଥିବା ଯୁଦ୍ଧରେ ବିରାମ ଲଗାଇବାକୁ ପ୍ରତିନିଧି ସ୍ତରୀୟ ଆଲୋଚନା କରିବେ। ମସ୍କୋ ଗସ୍ତର ୬ ସପ୍ତାହ ପରେ କିଭ୍ ଗସ୍ତ କରିଛନ୍ତି ମୋଦି।

ଜୁନ ମାସରେ ଇଟାଲୀରେ ଜି-୭ ଶିଖର ସମ୍ମିଳନୀରେ ଜେଲେନସ୍କିଙ୍କୁ ଭେଟିଥିଲେ ମୋଦି। ଏହି ବୈଠକରେ ମୋଦି ଯୁଦ୍ଧର ସମାଧାନ କେବଳ ଶାନ୍ତିପୂର୍ଣ୍ଣ ଭାବେ ଆଲୋଚନା ଏବଂ କୂଟନୀତି ଦ୍ୱାରା ହିଁ ହୋଇ ପାରିବ ବୋଲି କହିଥିଲେ। ସେଠାରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ପ୍ରଧାନମନ୍ତ୍ରୀ ମୋଦିଙ୍କୁ କିଭ୍ ଗସ୍ତ ପାଇଁ ନିମନ୍ତ୍ରଣ କରିଥିଲେ।