ମୁଖ୍ୟମନ୍ତ୍ରୀଙ୍କ ସହ ଭାରତମସଲା ପରିଚାଳନା ନିର୍ଦ୍ଦେଶକଙ୍କ ସୌଜନ୍ୟମୂଳକ ସାକ୍ଷାତ

ଶିଳ୍ପଦ୍ୟୋଗୀଙ୍କ ପାଇଁ ପ୍ରେରଣାର ଉତ୍ସ ଭାରତ ମସଲା: ମୁଖ୍ୟମନ୍ତ୍ରୀ

କଟକ, ୨୩/୮: ରାଜ୍ୟର ପ୍ରତିଷ୍ଠିତ ମସଲା କଂପାନୀ ଭାରତ ମସଲାର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଶ୍ରୀଯୁକ୍ତ ପଣ୍ଡା ସାକ୍ଷାତ କରିବା ଅବସରରେ ରାଜ୍ୟରେ ଏମ୍‌ଏସ୍‌ଏମ୍‌ଇ ସେକ୍ଟର କିଭଳି କାର୍ଯ୍ୟ କରୁଛି? ଉଦ୍ୟୋଗପତିମାନଙ୍କୁ ସହଯୋଗ ମିଳୁଛି କି ନାହିଁ? ବିଶେଷ କରି ନୂତନ ଭାବରେ ଶିଳ୍ପ କ୍ଷେତ୍ରରେ ପାଦ ଥାପିବା ପାଇଁ ଉତ୍ସାହୀ ଯୁବ ଉଦ୍ୟୋଗୀମାନଙ୍କୁ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ସରକାରଙ୍କ ଆନୁସଙ୍ଗିକ ସୁବିଧା ମିଳୁଛି କି ନାହିଁ, ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ତେବେ ଭାରତ ମସଲା ରାଜ୍ୟର ଏକ ଅଗ୍ରଣୀ ଶିଳ୍ପାନୁଷ୍ଠାନ ହୋଇଥିଲା ବେଳେ କଂପାନୀର ବାର୍ଷିକ ଆୟବ୍ୟୟ ଅଟକଳ ସହ କାର୍ଯ୍ୟରତ କର୍ମଚାରୀଙ୍କ ସଂଖ୍ୟା ବିଷୟରେ ମୁଖ୍ୟମନ୍ତ୍ରୀ ମଧ୍ଯ ପଚାରି ବୁଝିଥିଲେ । ରାଜ୍ୟରେ ଏକ ଛୋଟ ଅନୁଷ୍ଠାନରୁ ବର୍ତ୍ତମାନ ଏକ ବୃହତ୍ ଅନୁଷ୍ଠାନରେ ପରିଣତ ହେବା ଓ ବିଶେଷ କରି ନୂତନ ଶିଳ୍ପୋଦ୍ୟୋଗୀମାନଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ହୋଇଥିବାରୁ ଭାରତ ମସଲାକୁ ମୁଖ୍ୟମନ୍ତ୍ରୀ ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ଭାରତ ମସଲା କଂପାନୀ ପକ୍ଷରୁ ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମୃତିଫଳକ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ ।