ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟରୁ ସନ୍ୟାସ ନେଲେ ମିଷ୍ଟର ଆଇସିସି

ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟରୁ ଅବସର ନେଲେ ଭାରତର ଷ୍ଟାର ଓପନର ଶିଖର ଧାୱନ।

ସୋସିଆଲ ମିଡ଼ିଆରେ ଭିଡିଓ ପୋଷ୍ଟ କରି ଅବସର ଘୋଷଣା

ନୂଆଦିଲ୍ଲୀ, ୨୪/୮: କ୍ରିକେଟରୁ ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ଭାରତର ଷ୍ଟାର ଓପନର ଶିଖର ଧାୱନ। ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଶନିବାର ଘରୋଇ ଓ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୩୮ ବର୍ଷୀୟ ଏହି ଖେଳାଳି ସୋସିଆଲ ମିଡ଼ିଆରେ ଭିଡିଓ ବାର୍ତ୍ତା ସେୟାର କରି ସନ୍ୟାସ ଘୋଷଣା କରିଛନ୍ତି।

ସେ କହିଛନ୍ତି, ଭାରତ ପାଇଁ ଖେଳିବାକୁ ମୋର ସବୁବେଳେ ଇଚ୍ଛା ଥିଲା। ଆଉ ଏଥିପାଇଁ ସୁଯୋଗ ଦେଇଥିବାରୁ ମୁଁ ଅନେକ ଲୋକଙ୍କୁ ଧନ୍ୟବାଦ ଜଣାଉଛି। ପ୍ରଥମେ ମୋ ପରିବାର, ମୋ ପିଲାଦିନର କୋଚ୍ ତାରକ ସିହ୍ନା ଏବଂ ମଦନ ଶର୍ମା, ସେମାନଙ୍କ ମାର୍ଗଦର୍ଶନରେ ମୁଁ କ୍ରିକେଟ୍ ଶିଖିଲି। ତା’ପରେ ଯେଉଁ ମାନଙ୍କ ସହିତ ମିଶି ବର୍ଷ ବର୍ଷ ଧରି ଖେଳିଲି, ମୋର ପୂରା ଟିମ୍; ସମସ୍ତଙ୍କଠାରୁ ଅନେକ ଭଲପାଇବା ଏବଂ ସମର୍ଥନ ମିଳିଛି। କୁହାଯାଏ ଯେ କାହାଣୀରେ ଆଗକୁ ବଢ଼ିବାକୁ ହେଲେ ପୃଷ୍ଠା ଗୁଡ଼ିକୁ ଓଲଟାଇବାକୁ ପଡ଼ିଥାଏ। ତେଣୁ ମୁଁ ମଧ୍ୟ ତାହା କରୁଛି, ମୁଁ ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟରୁ ଅବସର ଘୋଷଣା କରୁଛି। କ୍ରିକେଟ୍ ଯାତ୍ରାକୁ ବିଦାୟ ଦେଉଛି। ମୋ ଦେଶ ପାଇଁ ଖେଳିବାକୁ ସୁଯୋଗ ଦେଇଥିବାରୁ ମୁଁ ବିସିସିଆଇ, ଡିଡିସିଏ ଏବଂ ମୋର ସମସ୍ତ ପ୍ରଶଂସକଙ୍କୁ ସେମାନଙ୍କ ଭଲପାଇବା ଏବଂ ସମର୍ଥନ ପାଇଁ ଧନ୍ୟବାଦ ଜଣାଉଛି ବୋଲି ଧାୱନ କହିଛନ୍ତି।

୨୦୧୩ ମାର୍ଚ୍ଚ ୧୬ ତାରିଖରେ ଧାୱନ ଟେଷ୍ଟ କ୍ୟାରିୟର ଆରମ୍ଭ କରି ୩୪ଟି ଟେଷ୍ଟ ମ୍ୟାଚରେ ୪୦ ଆଭରେଜରେ ୨୩୧୫ ରନ୍ କରିଥିବା ବେଳେ ୭ଟି ଶତକ ଓ ୫ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ୨୦୧୦ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ କ୍ୟାରିୟର ଆରମ୍ଭ କରିଥିବା ବେଳେ ସେ ୧୬୭ଟି ଦିନିକିଆ ଖେଳି ୪୪.୧୧ ଆଭରେଜରେ ୬୭୯୩ ରନ୍ ସଂଗ୍ରହ କରିବା ସହ ୧୭ଟି ଶତକ ଓ ୩୯ଟି ଅର୍ଦ୍ଧଶତକ ହାସଲ କରିଥିଲେ। ଧାୱନ ୬୮ଟି ଟି-୨୦ ମ୍ୟାଚ୍ ଖେଳି ୧୭୫୯ ରନ୍ କରିବା ସହ ୧୨୬.୩୬ ଷ୍ଟ୍ରାଇକ୍ ରେଟରେ ୧୧ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।

୨୦୧୩ ଓ ୨୦୧୭ରେ ଚାମ୍ପିୟନ୍ସ ଟ୍ରଫିରେ ଭଲ ପ୍ରଦର୍ଶନ କରି ଧାୱନ ସମ୍ମାନଜନକ ‘ଗୋଲ୍ଡେନ୍ ବ୍ୟାଟ୍’ ଜିତିଥିଲେ। ଭାରତ ପାଇଁ ଆଇସିସି ଦିନିକିଆ ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ ‘ମିଷ୍ଟର ଆଇସିସି’ ନାମ ଦିଆଯାଇଥିଲା। ସେହିପରି ଧାୱନ ୨୨୨ଟି ଆଇପିଏଲ ମ୍ୟାଚ ଖେଳିଛନ୍ତି। ଅନ୍ତର୍ଜାତୀୟ ଓ ଘରୋଇ ଅବସର ପରେ ସେ ଆଇପିଏଲ ଖେଳିବା ଜାରି ରଖିବେ।