ବିଦେଶ ବଜାରରେ ହ୍ରାସ ହେଲା ତୈଳ ଦର

ନୂଆଦିଲ୍ଲୀ: ବିଦେଶ ବଜାରରେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ହୋଇଛି। ଏହାକୁ ମାନ୍ଦାବସ୍ଥାର ପ୍ରଭାବ ବୋଲି କୁହାଯାଉଛି। ମାନ୍ଦାବସ୍ଥା ଯୋଗୁ ଆମେରିକା ସମେତ ବୃହତ୍ତ ମହାଶକ୍ତିମାନେ ପେଟ୍ରୋଲିୟମ ପଦାର୍ଥର ଖର୍ଚ୍ଚ ହ୍ରାସ କରିଛନ୍ତି। ଏଣୁ ବଜାରରେ ଚାହିଦା ନଥିବାରୁ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ହୋଇଛି। ଇଣ୍ଡଷ୍ଟ୍ରିର ତଥ୍ୟାନୁସାରେ ଗତ ସପ୍ତାହରେ ଆମେରିକାର ଅଶୋଧିତ ତୈଳ ଡିପୋଜିଟ ଢେର ବଢି ଯାଇଛି। ଏଣୁ ଚାହିଦା ହ୍ରାସ ହୋଇଥିବା କୁହାଯାଇଛି।

ଅଶୋଧିତ ତୈଳ ମୂଲ୍ୟ ହ୍ରାସର ପ୍ରଭାବ ଉଣା ଅଧିକେ ବିଶ୍ୱର ଅନେକ ରାଷ୍ଟ୍ରଙ୍କ ଉପରେ ପଡିଛି। ତେବେ ଭାରତରେ ଅନେକ ଦିନରୁ ତୈଳ ମୂଲ୍ୟସ୍ଥିର ରହିଛି,  ହେଲେ ପୂର୍ବାପେକ୍ଷା ମୂଲ୍ୟ ଉଚ୍ଚା ରହିଛି। ଏକ ରିପୋର୍ଟ ଅନୁସାରେ ଆମେରିକୀୟ କ୍ରୁଡ ଷ୍ଟକ୍ ଗତ ସପ୍ତାହରେ ଅର୍ଥାତ ଅଗଷ୍ଟ ୫ ତାରିଖ ବେଳକୁ ୨.୨ଲକ୍ଷ ବାରଲ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା। ଏଣୁ ବ୍ରେଣ୍ଟ କ୍ରୁଡ ଦରରେ ୬ ସେଣ୍ଟ ପର୍ଯ୍ୟନ୍ତ ହ୍ରାସ ସହ ବାରଲପିଛା ଦର ୯୬.୨୫ ଡଲାରକୁ ଖସି ଯାଇଛି। ସେହି ଅନୁସାରେ ଦେଖିଲେ ଟେକ୍ସାସ ଇଣ୍ଟରମି଼ଡିଏଟରେ ୧୬ ସେଣ୍ଟ ହ୍ରାସ ସହ ବାରଲ ପିଛା ଦର ୯.୩୪ ଡଲାରକୁ ପହଞ୍ଚିଛି।