ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା

ପରିବାରର ଏକାଧିକ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା

ଭୁବନେଶ୍ବର, ୨୭/୮: ସୁଭଦ୍ରା ଯୋଜନାକୁ ନେଇ ବଡ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଗୋଟିଏ ପରିବାରର ସମସ୍ତ ଯୋଗ୍ୟ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସହାୟତା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ସୁଭଦ୍ରା ଯୋଜନାକୁ ନେଇ ଗାଇଡଲାଇନ ଜାରି କରିଥିଲେ। ସେଥିରେ ଉଲ୍ଲେଖ ଥିଲା ଯେ, ଗୋଟିଏ ପରିବାରର କେବଳ ଜଣେ ମହିଳା ସୁଭଦ୍ରା ଯୋଜନା ପାଇଁ ଆବେଦନ କରିପାରିବେ। ୨୧ ବର୍ଷରୁ ୬୦ ବର୍ଷ ବୟସର ମହିଳାଙ୍କ ବୟସ ସୀମା ସୀମିତ ରହିବ। ଆଧାର କାର୍ଡରେ ଉଲ୍ଲେଖ କରାଯାଇଥିବା ଜନ୍ମ ତାରିଖକୁ ବିଚାର କରାଯାଇ ଆବେଦନରେ ଗ୍ରହଣ କରାଯିବ। କିନ୍ତୁ ଆଜି ସୁଭଦ୍ରା ଯୋଜନା ନିୟମରେ ପରିବର୍ତ୍ତନ କରି ଏକ ବଡ ସଂଶୋଧନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ।

ଆଜି ବିଧାନସଭାରେ ଉଦବୋଧନ ଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଗାଇଡଲାଇନ ଅନୁଯାୟୀ ପ୍ରତ୍ୟେକ ଯୋଗ୍ୟ ବିବେଚିତ ମହିଳା ଏଥି ପାଇଁ ଆବେଦନ କରି ପାରିବେ। ଗୋଟିଏ ପରିବାରର ୨୧ ବର୍ଷରୁ ୬୦ ବର୍ଷ ବୟସର ଏକାଧିକ ମହିଳା ଏହି ଯୋଜନାରେ ଆର୍ଥିକ ସହାୟତା ପାଇବେ। ଏପରିକି ପେନସନ୍ ପାଉଥିବା ବିଧବା ଭତ୍ତା ପାଉଥିବା ମହିଳା ଓ ଛାତ୍ରବୃତ୍ତି ପାଉଥିବା କଲେଜ ଛାତ୍ରୀମାନେ ମଧ୍ୟ ସୁଭଦ୍ରା ଯୋଜନା ସହାୟତା ପାଇବାକୁ ହକଦାର ବୋଲି ଉପମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।