ଜାତୀୟ ଶିକ୍ଷକ ସମ୍ମାନ ପାଇଁ ମନୋନୀତ ଓଡିଶାର ଦୁଇ କୃତୀ ଶିକ୍ଷକଙ୍କ ସହ କଥା ହେଲେ ନବୀନ ପଟ୍ଟନାୟକ

“ଆପଣଙ୍କ ମାନଙ୍କ ନିଷ୍ଠା ଓ ସାଧନା ପାଇଁ ଆମେ ଗର୍ବିତ”

ଭୁବନେଶ୍ୱର, ୨୯/୮: ଜାତୀୟ ଶିକ୍ଷକ ସମ୍ମାନ ପାଇଁ ମନୋନୀତ ଓଡିଶା ର ଦୁଇ କୃତଵିଦ୍ୟ ଶିକ୍ଷକ ଡ଼କ୍ଟର ଦ୍ବିତୀଚନ୍ଦ୍ର ସାହୁ ଓ ସନ୍ତୋଷ କୁମାର କରଙ୍କୁ ନବୀନ ପଟ୍ଟନାୟକ ଆଜି ବ୍ୟକ୍ତିଗତ ଭାବେ ଫୋନ କରି କଥା ହେବା ସହ ଅଭିନନ୍ଦନ ଜଣାଇଛନ୍ତି।

ସେମାନଙ୍କ ନିଷ୍ଠା ଓ ସାଧନାର ଉଚ୍ଚ ପ୍ରଶଂସା କରିଛନ୍ତି। ଶିକ୍ଷା ଜରିଆରେ ହିଁ ଏକ ସଚେତନ ଓ ସଶକ୍ତ ସମାଜ ଗଠନ ହୋଇ ପାରିବ ବୋଲି ମତ ଦେଇ ଶ୍ରୀ ପଟ୍ଟନାୟକ ଶିକ୍ଷାଦାନ କ୍ଷେତ୍ରରେ ସେମାନଙ୍କ ଅବଦାନ ପାଇଁ ସେ ଗର୍ବିତ ବୋଲି କହି ଉଭୟଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଜାତୀୟ ଶିକ୍ଷକ ସମ୍ମାନ ପାଇଁ ମନୋନୀତ ଡ଼କ୍ଟର ଦ୍ଵିତୀଚନ୍ଦ୍ର ସାହୁ ରାୟଗଡା ଜିଲ୍ଲା ବିଲେଶୁ ଆଦିବାସୀ ମଙ୍ଗଳ ବିଭାଗର ସହକାରୀ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିବା ବେଳେ ଶ୍ରୀ ସନ୍ତୋଷ କୁମାର କର କଳାହାଣ୍ଡି ଜିଲ୍ଲା ଜୟଦୁର୍ଗା ହାଇସ୍କୁଲ ରେ ଶିକ୍ଷକ ଭାବରେ ଅବସ୍ଥାପିତ ଅଛନ୍ତି। ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କ ଆଶୀର୍ବାଦ ଆହୁରି ଭଲ କାମ କରିବା ପାଇଁ ପ୍ରେରଣା ବୋଲି ସେମାନେ କହିଥିଲେ।