ସେପ୍ଟେମ୍ବର ଶେଷ ସୁଦ୍ଧା ନୂଆ ରାସନ କାର୍ଡ ବଣ୍ଟନ ହେବ

ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ ପାଇଁ ହେବ ଡୋର୍ ଟୁ ଡୋର୍ ସର୍ଭେ

ଭୁବନେଶ୍ବର, ୦୪/୦୯: ସେପ୍ଟେମ୍ବର ମାସରୁ ରାଜ୍ୟରେ ନୂଆ ରାସନ କାର୍ଡ ବଣ୍ଟନ ଆରମ୍ଭ ହେବ। ନୂଆ ରାସନ କାର୍ଡ ମଞ୍ଜୁର କରିବା ପାଇଁ ଇ-କେୱାଇସି ପ୍ରକ୍ରିୟା ସାରା ରାଜ୍ୟରେ ଚାଲିଛି। ବର୍ତ୍ତମାନ ସୁଦ୍ଧା ୯ ଲକ୍ଷରୁ ଅଧିକ ଲୋକ ନୂଆ ରାସନ କାର୍ଡ ପାଇଁ ଆବେଦନ କରିସାରିଲେଣି। ସେପ୍ଟେମ୍ବର ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହେବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବୁଧବାର ବିଧାନସଭାରେ ସୂଚନା ଦେଇଛନ୍ତି।

ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଯୋଗ୍ୟ ପରିବାରକୁ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ୧୨ଟି ମାନଦଣ୍ଡ ଏବଂ ଅଯୋଗ୍ୟ ପରିବାରକୁ ବାଦ୍ ଦେବା ପାଇଁ ୧୦ଟି ମାନଦଣ୍ଡ ନିର୍ଦ୍ଧାରଣ କରାଯାଇଛି। କେବଳ ଯୋଗ୍ୟ ପରିବାର ଯେପରି ରାସନ କାର୍ଡ ପାଇବେ ସେଥିପାଇଁ ଅଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ୍ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯୋଗ୍ୟ ହିତାଧିକାରୀଙ୍କୁ ସୁନିଶ୍ଚିତ କରିବା ପାଇଁ ନୂତନ ଭାବେ ରାସନ କାର୍ଡ ପାଇଁ ଆବେଦନ କରିଥିବା ଆବେଦନକାରୀଙ୍କ ବିବରଣୀ ଯାଞ୍ଚ ହେବା ପାଇଁ ଇ-କେୱାଇସି ଅଡିଟ୍ କରାଯିବ। ଏହା ବାଦ ବିଭାଗୀୟ ଅଧିକାରୀମାନେ ଘରକୁ ଘର ବୁଲି ସର୍ଭେ କରିବେ।