ନବୀନଙ୍କୁ ଭେଟିଲେ ବିଜେଡିର ପୋଲାଭରମ୍ ଟିମ୍

ପୋଲାଭରମ୍ ପ୍ରକଳ୍ପକୁ ସର୍ବସ୍ତରୀୟ ଭାବରେ ଜୋରଦାର ବିରୋଧ କରାଯିବ ବୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଥିଲେ।

ବାସ୍ତବିକ ସ୍ଥିତି ସମ୍ପର୍କିତ ରିପୋର୍ଟ ଉପସ୍ଥାପନ କଲେ

ଭୁବନେଶ୍ୱର, ୧୦/୦୯: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବିଜେଡିର ପୋଲାଭରମ୍ ଟିମ୍। ଆଜି ସକାଳେ ନବୀନ ନିବାସରେ ଭେଟି ପୋଲାଭରମ୍ ପ୍ରକଳ୍ପ ଦ୍ୱାରା କ୍ଷୟକ୍ଷତି ରିପୋର୍ଟ ଉପସ୍ଥାପନ କରିଛନ୍ତି। ପ୍ରତିନିଧି ଦଳ ପ୍ରକଳ୍ପ ଅଞ୍ଚଳର ବାସ୍ତବିକ ସ୍ଥିତି ସମ୍ପର୍କରେ ଗ୍ରାଉଣ୍ଡ ରିପୋର୍ଟ ମୁତାବକ ବିରୋଧୀ ଦଳ ନେତାଙ୍କୁ ଅବଗତ କରାଇଥିଲେ। ପୋଲାଭରମ୍ ପ୍ରକଳ୍ପ ଦ୍ୱାରା ମାଲକାନଗିରି ଜିଲ୍ଲାର ମୋଟୁ ପଞ୍ଚାୟତ ସମେତ କାଲିମେଳା ଓ ପଡିଆ ବ୍ଲକର ୨୩୬ଟି ଗାଁର ଜନସାଧାରଣ କ୍ଷତିଗ୍ରସ୍ତ ହେବେ। ସେମାନଙ୍କ ଭିଟାମାଟି ଓ ଜୀବିକା ପ୍ରଭାବିତ ହେବ। ମାଲକାନଗିରିରେ ସାଧାରଣତଃ ବେଶୀ ବର୍ଷା ହୋଇଥାଏ। ଏହି ପ୍ରକଳ୍ପ ପରିସ୍ଥିତିକୁ ଆହୁରି ଜଟିଳ କରିବ ବୋଲି ପ୍ରତିନିଧି ଟିମ୍ ମତ ପ୍ରକାଶ କରିଥିଲେ।

ଏହି ପରିପ୍ରେକ୍ଷୀରେ ସର୍ବସ୍ତରୀୟ ଭାବରେ ପ୍ରକଳ୍ପକୁ ଜୋରଦାର ବିରୋଧ କରାଯିବ ବୋଲି କହିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହା ସହିତ ପ୍ରକଳ୍ପ ଦ୍ୱାରା ଦକ୍ଷିଣ ଓଡ଼ିଶା ବିଶେଷ କରି ମାଲକାନଗିରି ଜିଲ୍ଲାର କିପରି କ୍ଷୟକ୍ଷତିର ସାମନା କରିବ, ତାହାକୁ ଦୃଷ୍ଟିରେ ରଖି ଆଦିବାସୀ ଭାଇଭଉଣୀମାନଙ୍କ ହକ ପାଇଁ ବିଜେଡିର ଲଢେଇ ଜାରି ରହିବ ବୋଲି ନବୀନ କହିଥିଲେ।

ପୋଲାଭରମ୍ ପ୍ରକଳ୍ପ ଟିମର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ରଙ୍କ ସମେତ ସାଂସଦ ମୁନ୍ନା ଖାଁ, ବିଧାୟକ ମନୋହର ରାନ୍ଧାରୀ, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ବିଧାୟକ ଝିନ ହିକକା, ଭ୍ରୁଗୁ ବକ୍ସିପାତ୍ର, ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଓ ବିଜେଡିର ମିଡିଆ ସଂଯୋଜକ ପ୍ରିୟବ୍ରତ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।