ଜନତା ମଇଦାନକୁ ନୋ ଡ୍ରୋନ୍ ଜୋନ୍ ଘୋଷଣା

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ନିଶ୍ଚିତ କରିଛନ୍ତି ରାଜ୍ୟ ସରକାର

ଭୁବନେଶ୍ବର, ୧୪/୦୯: ସେପ୍ଟେମ୍ବର ୧୭ ତାରିଖରେ ଭୁବନେଶ୍ୱରର ଜନତା ମଇଦାନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ଶୁଭାରମ୍ଭ ହେବ ସୁଭଦ୍ରା ଯୋଜନା। ପ୍ରଧାନମନ୍ତ୍ରୀ ସେଦିନ ଓଡ଼ିଶା ଗସ୍ତରେ ରହିବା ସହ ଭୁବନେଶ୍ବରରେ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସେଦିନ ଭିଡ ପରିଚାଳନା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ୫୦ ଜଣ ଓଏଏସ୍ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଜନତା ମଇଦାନକୁ ରାଜ୍ୟ ସରକାର ‘ନୋ ଡ୍ରୋନ୍ ଜୋନ୍/ନୋ ଫ୍ଲାଇଂ ଜୋନ୍’ ଭାବେ ଘୋଷଣା କରିଛନ୍ତି। ଏ ନେଇ ଖୋର୍ଦ୍ଧା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ସୁଭଦ୍ରା ଯୋଜନା ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ହିତାଧିକାରୀମାନଙ୍କୁ ପ୍ରଥମ କିସ୍ତି ବଣ୍ଟନ କରିବେ। ସେପ୍ଟେମ୍ବର ୧୫ ତାରିଖ ପୂର୍ବରୁ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଥିବା ହିତାଧିକାରୀଙ୍କୁ ୧୭ ତାରିଖରେ ପ୍ରଥମ କିସ୍ତି ବଣ୍ଟନ କରାଯିବ। ଏହି କାର୍ଯ୍ୟକ୍ରମରେ ପାଖାପାଖି ୭୦ ହଜାର ମହିଳା ଯୋଗ ଦେଇପାରନ୍ତି।