ସେନା ଅଧିକାରୀଙ୍କୁ ମାଡ ଘଟଣା: ୫ ପୋଲିସ ଅଧିକାରୀ ନିଲମ୍ବିତ

ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ପୂର୍ବତନ ସେନା ଅଧିକାରୀଙ୍କ ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ବର, ୧୮/୦୯: ଭାରତୀୟ ସେନା ଅଧିକାରୀଙ୍କୁ ମାଡ ମାରିବା ଘଟଣାରେ ଭରତପୁର ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସମେତ ୫ ଜଣ ପୁଲିସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ଶିଖ୍ ରେଜିମେଣ୍ଟର ଜଣେ ଭାରତୀୟ ସେନା ଅଧିକାରୀ ମେଜର ଗୁରବଂଶ ସିଂହ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ସହ ଭରତପୁର ଥାନାରେ ଅସଦାଚରଣ ହେବା ମାମଲାରେ ପୋଲିସ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଅଭିଯୋଗ କରିବା ପରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ କରିବା ପରେ ଡିଜିପି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ମାମଲାରେ ଭରତପୁର ଥାନାର ପୂର୍ବତନ ଆଇଆଇସି ଦିନକୃଷ୍ଣ ମିଶ୍ର, ସବ୍ ଇନ୍ସପେକ୍ଟର ବୈଶାଳୀନୀ ପଣ୍ଡା, ମହିଳା ଏଏସଆଇ ସଲିଳାମୟୀ ସାହୁ ଓ ସାଗରିକା ରଥ ଏବଂ କନେଷ୍ଟବଳ ବଳରାମ ହାଁସଦାଙ୍କୁ ନିଲମ୍ବିତ କରାଯାଇଛି।

ଅଭିଯୋଗ ମୁତାବକ, ମେଜର ଗୁରବଂଶ ସିଂହ ଓ ତାଙ୍କ ବାନ୍ଧବୀ କାରରେ ଯାଉଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କ ଗାଡିକୁ ଅଟକାଇବା ସହ ଦୁର୍ବ୍ୟବହାର କରିଥିଲେ। ଏ ନେଇ ସମ୍ପୃକ୍ତ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ ଅଭିଯୋଗ କରିବାକୁ ଭରତପୁର ଥାନାକୁ ଯାଇଥିଲେ। ହେଲେ, ପୋଲିସ୍ ଅଭିଯୋଗ ରଖିବା ବଦଳରେ ଉଭୟଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ ମାରିଥିଲେ। ସେନା ଅଧିକାରୀଙ୍କୁ ରାତି ତମାମ ଜେଲ ଭିତରେ ରଖିଥିବା ବେଳେ ତାଙ୍କ ବାନ୍ଧବୀ ଏହାର ବିରୋଧ କରିଥିଲେ। ଯାହା ପରେ ପୋଲିସ ଅଧିକାରୀ ତାଙ୍କୁ ମଧ୍ୟ ମାଡ ମାରିଥିଲେ। ଏହି ଘଟଣା ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା। ବର୍ତ୍ତମାନ ଏହି ଘଟଣା ପରେ ପୋଲିସ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ପୂର୍ବତନ ସେନା ଅଧିକାରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।