‘ୱାନ୍ ନେସନ ୱାନ୍ ଇଲେକ୍ସନ’କୁ ମିଳିଲା କ୍ୟାବିନେଟ୍ ଅନୁମୋଦନ

ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ମାର୍ଚ୍ଚ ମାସରେ 'ୱାନ୍ ନେସନ ଗୋଟିଏ ଇଲେକ୍ସନ' ସମ୍ପର୍କିତ ରିପୋର୍ଟ ଉପସ୍ଥାପନ କରିଥିଲା।

ସଂସଦର ଶୀତକାଳୀନ ଅଧିବେଶନରେ ଆଗତ ହେବ ବିଲ୍

ନୂଆଦିଲ୍ଲୀ, ୧୮/୦୯: ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ଭାରତରେ ‘ୱାନ ନେସନ, ୱାନ ଇଲେକ୍ସନ’ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ଅନୁମୋଦନ କରିଛି। ଏହି ପ୍ରସ୍ତାବ ଉପରେ ଏକ ଉଚ୍ଚସ୍ତରୀୟ କମିଟି ପକ୍ଷରୁ ଏକ ବିସ୍ତୃତ ରିପୋର୍ଟ ଉପସ୍ଥାପନ କରାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଆଗାମୀ ଶୀତ କାଳୀନ ଅଧିବେଶନରେ ସଂସଦରେ ଏହି ବିଲ୍ ଆଗତ ହେବାର ସମ୍ଭାବନା ରହିଛି।

ଲୋକସଭା ନିର୍ବାଚନ ଘୋଷଣା ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ମାର୍ଚ୍ଚ ମାସରେ ଏହି ରିପୋର୍ଟ ଦାଖଲ କରିଥିଲା। ବିଲ୍ ଆସିବା ପରେ ଦେଶରେ ଏକକ ନିର୍ବାଚନ ହେବ।

ଏକକ ନିର୍ବାଚନ ସମ୍ବଳ ସଞ୍ଚୟ, ବିକାଶ ଓ ସାମାଜିକ ସଂହତିକୁ ପ୍ରୋତ୍ସାହିତ କରିବ ବୋଲି କମିଟି କହିଛି। ରାଜ୍ୟ ନିର୍ବାଚନ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଭାରତୀୟ ନିର୍ବାଚନ ଆୟୋଗ ଦ୍ୱାରା ଏକ ସାଧାରଣ ଭୋଟର ତାଲିକା ଏବଂ ଭୋଟର ପରିଚୟ ପତ୍ର ପ୍ରସ୍ତୁତ କରିବାକୁ କମିଟି ସୁପାରିସ କରିଛି।