ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ବନ୍ୟା ସ୍ଥିତି ଅତ୍ୟନ୍ତ ଉଦବେଗଜନକ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୧୮/୦୯: ବୁଧବାର ଆକାଶମାର୍ଗରୁ ରାଜ୍ୟରେ ବନ୍ୟାଞ୍ଚଳର ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବନ୍ୟା ସ୍ଥିତି ସମୀକ୍ଷା କରିବା ପରେ ପ୍ରଶାସନିକ ଅଧିକାରୀଙ୍କ ସହ ବନ୍ୟା ସ୍ଥିତିର ମୁକାବିଲା ନେଇ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି। ସମୀକ୍ଷା ବୈଠକ ପରେ ବାଲେଶ୍ୱର ସ୍ଥିତି ଉଦବେଗଜନକ ରହିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦିଆଯାଇଛି। ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରାଯାଉଛି। ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାପାଳଙ୍କୁ ୨୪ ଘଣ୍ଟିଆ ସତର୍କ ରହିବାକୁ ବିଭିନ୍ନ ଅଧିକାରୀଙ୍କୁ ନିଯୁକ୍ତି କରିବା ପାଇଁ ପରାମର୍ଶ ଦିଆଯାଇଛି। ବନ୍ୟା ପରବର୍ତ୍ତୀ ସମୟରେ ସୃଷ୍ଟି ହେବାକୁ ଥିବା ସ୍ୱାସ୍ଥ୍ୟଗତ ସମସ୍ଯା ଉପରେ ନଜର ରଖାଯିବ। ଏପର୍ଯ୍ୟନ୍ତ ୨ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଜଳବନ୍ଦୀ ଥିବା ପ୍ରଭାବିତ ଲୋକଙ୍କୁ ସ୍ଥାନାନ୍ତର ପାଇଁ ଉଦ୍ୟମ ଜାରି ରହିଛି। ଆସନ୍ତା ଗୋଟିଏ ଦିନ ମଧ୍ୟରେ ସ୍ଥିତି ସ୍ୱାଭାବିକ ହେବା ଆଶା କରାଯାଉଛି।

ଉଲ୍ଲେଖଯୋଗ୍ୟ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ଗତ ୪ ଦିନ ହେଲା ବର୍ଷା ଲାଗି ରହିଥିବାରୁ ବୁଢ଼ାବଳଙ୍ଗ, ବୈତରଣୀ, ସୁବର୍ଣ୍ଣରେଖା ଓ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବାଲେଶ୍ୱର ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି। ଜିଲ୍ଲାର ବାଲିଆପାଳ, ଭୋଗରାଇ, ଜଳେଶ୍ୱର ଓ ବସ୍ତା ବ୍ଲକର ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି। ବନ୍ୟା ଜଳ ଯୋଗୁଁ ଅନେକ ଗାଁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡିଥିବାରୁ ଅନେକ ଲୋକ ଗୃହବନ୍ଦୀ ଅଛନ୍ତି।