କେନ୍ଦ୍ରାପଡା ଓ ଗଜପତି ଜିଲ୍ଲାର ନିର୍ବାଚିତ ପ୍ରତିନିଧି ଓ ଦଳୀୟ କର୍ମକର୍ତ୍ତାଙ୍କୁ ଭେଟିଲେ ନବୀନ ପଟ୍ଟନାୟକ

ସଂଗଠନକୁ ମଜବୂତ କର ଏବଂ ସରକାରଙ୍କ ମିଛ ବିଷୟରେ ଲୋକଙ୍କୁ ସଚେତନ କର ବୋଲି ନବୀନ କହିଥିଲେ।

ଥାନାରେ ମହିଳା ଅସୁରକ୍ଷିତ ଦୁଃଖର କଥା: ନବୀନ

ଭୁବନେଶ୍ୱର, ୨୧/୦୯: ଆଜି ଶଙ୍ଖ ଭବନଠାରେ କେନ୍ଦ୍ରାପଡ଼ା ଓ ଗଜପତି ଜିଲ୍ଲାର ନିର୍ବାଚିତ ପ୍ରତିନିଧି ଓ ପଦାଧିକାରୀ ମାନଙ୍କ ବୈଠକ ଅନୁଷ୍ଠିତ ହୋଇ ସଂଗଠନକୁ ମଜବୂତ କରିବା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ବୈଠକରେ ଉଦବୋଧନ ଦେଇ ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ବିଜେଡି ସରକାରର ୨୪ବର୍ଷ ଶାସନରେ ରାଜ୍ୟରେ ଗରିବୀ ୭୦ ପ୍ରତିଶତରୁ ୧୦ ପ୍ରତିଶତ କମିଛି। ଲୋକଙ୍କ ମୁଣ୍ଡ ପିଛା ଆୟ ବଢିଛି। ଏହା ଭାରତ ସରକାରଙ୍କ ରିପୋର୍ଟ କହୁଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଏଥର ଯଦି ବିଜେଡି କ୍ଷମତାକୁ ଅସିଥାନ୍ତା ତେବେ ଓଡିଶାରୁ ଗରିବୀ ସମ୍ପୂର୍ଣ୍ଣ ଭାବରେ ଦୂର ହୋଇଥାନ୍ତା ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ସେ କହିଥିଲେ, କେନ୍ଦ୍ରାପଡ଼ା ସବୁବେଳେ ତାଙ୍କ ପାଇଁ ଓ ବିଜୁ ବାବୁଙ୍କ ପାଇଁ ସ୍ୱତନ୍ତ୍ର ହୋଇ ରହି ଆସିଛି। ଗଜପତି ଜିଲ୍ଲା ସହ ବିଜୁ ବାବୁଙ୍କ ପରିବାରର ସମ୍ପର୍କ ବହୁତ ପୁରୁଣା। ଲୋକଙ୍କ ଭଲ ପାଇବା ଏବେ ବି ବିଜେଡି ପ୍ରତି ଅତୁଟ ରହିଛି ବୋଲି ମତ ଦେଇ ଶ୍ରୀ ପଟ୍ଟନାୟକ ବିଜେପି ସରକାରର ମିଛ ପ୍ରତିଶ୍ରୁତି ସୁଭଦ୍ରା ଯୋଜନାରେ ଦୁଇ ବର୍ଷରେ ପଚାଶ ହଜାର ଟଙ୍କା ହେଉ ବା ମାଗଣା ବିଜୁଳି ଓ ଭତ୍ତା ସବୁ ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ କର୍ମୀମାନଙ୍କୁ ଆହ୍ୱାନ ଜଣାଇଥିଲେ।

ଶ୍ରୀ ପଟ୍ଟନାୟକ କହିଥିଲେ, ଦୁଃଖର କଥା ଭୁବନେଶ୍ୱର ପରି ଜାଗାରେ ଥାନାରେ ମହିଳା ଅସୁରକ୍ଷିତ। ରାଜଭବନରେ କର୍ମଚାରୀ ମାଡ ଖାଉଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ଥିବା ପରି ଲାଗୁ ନାହିଁ।

ଶ୍ରୀ ପଟ୍ଟନାୟକ କହିଥିଲେ ବିଜେଡି ସରକାରରେ ଥିବା ବେଳେ ଲୋକଙ୍କ ପାଇଁ ଅନେକ ଭଲ କାମ କରିଥିଲା। ଲୋକଙ୍କ ଭଲ ପାଇବା ଏବେବି ଆମ ସହିତ ରହିଛି। ତେଣୁ ଲୋକଙ୍କ ସେବା ଜାରି ରଖିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।

କେନ୍ଦ୍ରାପଡା ବୈଠକ ସଂଯୋଜନା କରିଥିଲେ ଆଳି ବିଧାୟକ ପ୍ରତାପ ଦେବ। ଗଜପତି ବୈଠକ ସଂଯୋଜନା କରିଥିଲେ ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଗଣେଶ୍ୱର ବେହେରା, ବିଧାୟକ ଧ୍ରୁବ ସାହୁ, ବିଧାୟକ ଅରବିନ୍ଦ ମହାପାତ୍ର, ପୂବର୍ତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ରୁପେଶ ପାଣିଗ୍ରାହୀ, ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସି ପାତ୍ର ତଥା ବିଭିନ୍ନ ବ୍ଲକର ଚେୟାରମ୍ୟାନ ଓ କର୍ମକର୍ତ୍ତାମାନେ ଉଦବୋଧନ ଦେଇ ବିଜେଡିକୁ ଶକ୍ତିଶାଳୀ କରିବା ପାଇଁ ସଂକଳ୍ପ ବଦ୍ଧ ହୋଇ କାମ କରିବେ ବୋଲି ଘୋଷଣା କରଥିଲେ।