ଜମ୍ମୁ-କଶ୍ମୀର ନିର୍ବାଚନୀ ପ୍ରଚାରରେ ଶାହଙ୍କ ପ୍ରତିଶ୍ରୁତିର ବର୍ଷା

ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାର ମେନ୍ଧର ଅଞ୍ଚଳରେ ନିର୍ବାଚନୀ ପ୍ରଚାର କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

ଆତଙ୍କବାଦର ମୂଳପୋଛ ହେବ: ଏଥର ଗୁଳିର ଜବାବ ଗୁଳିରେ ଦିଆଯିବ

ଜମ୍ମୁ, ୨୧/୦୯: ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାର ମେନ୍ଧର ଅଞ୍ଚଳରେ ନିର୍ବାଚନୀ ପ୍ରଚାର କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଦଳୀୟ ପ୍ରାର୍ଥୀ ମୁର୍ତାଜା ଖାନଙ୍କ ପାଇଁ ପ୍ରଚାର କରିଥିଲେ ଶ୍ରୀ ଶାହ। ପ୍ରଚାର ସମୟରେ ସାଧାରଣ ସଭାକୁ ସମ୍ବୋଧିତ କରି ଶ୍ରୀ ଶାହ କହିଥିଲେ, ଆଜି ମୁଁ ବିଜେପି ପ୍ରାର୍ଥୀ ମୁର୍ତାଜା ଖାନଙ୍କୁ ଜିତାଇବା ପାଇଁ ଆପଣମାନଙ୍କୁ ଅପିଲ କରିବାକୁ ଏଠାକୁ ଆସିଛି। ମୁଁ ଗୁଜରାଟରେ ରହୁଛି। କିନ୍ତୁ କେବେ ଭାବି ନଥିଲି ଯେ ମୁଁ ନିୟନ୍ତ୍ରଣ ରେଖାଠାରୁ ମାତ୍ର ୨ କିଲୋମିଟର ଦୂର ମେନ୍ଧରରେ ଲୋକଙ୍କୁ ସମ୍ବୋଧିତ କରିପାରିବି।

ପୂର୍ବରୁ ଜମ୍ମୁ-କଶ୍ମୀରରେ ଥିବା କ୍ଷମତାଶାଳୀ ବ୍ୟକ୍ତିମାନେ ପାକିସ୍ତାନକୁ ଡରୁଥିଲେ। କିନ୍ତୁ ଏବେ ପାକିସ୍ତାନ ଆମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୟ କରୁଛି। ପରିସ୍ଥିତି ସମ୍ପୂର୍ଣ୍ଣ ବଦଳିଯାଇଛି। ଦେଶରେ ସୀମାପାର ଗୁଳିବିନିମୟର ଦିନ ଶେଷ ହୋଇଯାଇଛି। ଜମ୍ମୁ-କଶ୍ମୀରରେ ଏଲ୍ଓସି ପାର ହୋଇ ଯଦି ଗୁଳି ଚାଳନା କରାଯାଏ, ତା’ହେଲେ ତାହାର ଜବାବ ଗୁଳିରେ ଦିଆଯିବ, କଥାବାର୍ତ୍ତା ନୁହେଁ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି।

ଶ୍ରୀ ଶାହ ଆହୁରି ମଧ୍ୟ କହିଥିଲେ, ୧୯୪୭ ପରେ ଯେତେବେଳେ ବି ପାକିସ୍ତାନ ସହ ଯୁଦ୍ଧ ହୋଇଥିଲା ସେତେବେଳେ ଆମର ଗୁଜ୍ଜର, ବକରୱାଲ ଏବଂ ପାହାଡି ଭାଇମାନେ ସବୁବେଳେ ଦେଶର ସୈନିକ ଭାବରେ ଲଢିଛନ୍ତି। ଆଜି ଆପଣମାନଙ୍କ ପାଇଁ ସାରା ଦେଶ ଗର୍ବିତ। ଦେଶର ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସହଯୋଗ କରିବାକୁ ମୁଁ ଆପଣମାନଙ୍କୁ ନିବେଦନ କରୁଛି।

ଏହି ନିର୍ବାଚନରେ ମୁର୍ତାଜା ଖାନଙ୍କୁ ଜିତାଇଲେ ଅବଦୁଲ୍ଲା, ମୁଫ୍ତି ଓ ଗାନ୍ଧି ପରିବାରର ଏକଛତ୍ରବାଦର ଅନ୍ତ ଘଟିବ। ସେମାନେ ଜମ୍ମୁ-କଶ୍ମୀରରେ ଗଣତନ୍ତ୍ରକୁ ମୂଳପୋଛ କରିବାରେ ଲାଗିଛନ୍ତି। ଯଦି ୨୦୧୪ରେ ପ୍ରଧାନମନ୍ତ୍ରୀ ମୋଦି କ୍ଷମତାକୁ ଆସିନଥାନ୍ତେ ତେବେ ଏଠାରେ ପଞ୍ଚାୟତ, ବ୍ଲକ ଉନ୍ନୟନ ପରିଷଦ ଓ ଜିଲ୍ଲା ଉନ୍ନୟନ ପରିଷଦ ନିର୍ବାଚନ ହୋଇନଥାନ୍ତା। ନରେନ୍ଦ୍ର ମୋଦି ଓ ମୁର୍ତାଜା ଖାନଙ୍କ ଯୋଗୁଁ ଆଜି ଏଠାରୁ ୩୦ ହଜାର ଯୁବକ ଦେଶର ବିଭିନ୍ନ ସ୍ଥାନରେ କାମ କରୁଛନ୍ତି।

ଆତଙ୍କବାଦକୁ ସମ୍ପୂର୍ଣ୍ଣ ମୂଳପୋଛ କରିବାକୁ ନିଷ୍ପତ୍ତି ନେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପଥର ବଦଳରେ ଆମେ ଯୁବକଙ୍କ ହାତରେ ଲାପଟପ୍ ଦେଇଛୁ। ଓମାର ଅବଦୁଲ୍ଲା ଏବେ ଆତଙ୍କବାଦ ଫେରି ଆସିବ ବୋଲି ଧମକ ଦେଇଛନ୍ତି। ଆମ ସରକାର ଏବେ ବି ଦେଶରେ କ୍ଷମତାରେ ଅଛି। ଆମେ ଆତଙ୍କବାଦକୁ ପୁଣି ଆସିବାକୁ ଦେବୁ ନାହିଁ।

ଶ୍ରୀ ଶାହ କହିଥିଲେ ଯେ, ଫାରୁକଙ୍କ ସମୟରେ ଦଳ ଗୁଜ୍ଜର ଓ ବକରୱାଲଙ୍କୁ ସଂରକ୍ଷଣ ଦେଇନଥିଲା। କିନ୍ତୁ ଏବେ ସେମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଆସିଛି। ମେନ୍ଧରରେ ଉଚ୍ଚ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ବିଦ୍ୟାଳୟ ରହିବ। ଆପଣଙ୍କ ପିଲାମାନେ ଲାପଟପ ଏବଂ ଟାବଲେଟ୍ ପାଇବେ ଯାହାଦ୍ୱାରା ସେମାନେ ଅନଲାଇନରେ ଶିକ୍ଷା ଲାଭ କରିପାରିବେ। ପଦୋନ୍ନତିରେ ସଂରକ୍ଷଣ ରହିବ। ଏହି ଅଞ୍ଚଳର ଯୁବକମାନଙ୍କୁ ପୁଲିସ, ସେନା ଓ ସିଆରପିଏଫ ସମେତ ଦେଶର ଅନ୍ୟାନ୍ୟ ପ୍ରତିରକ୍ଷା ବାହିନୀରେ ନିଯୁକ୍ତି ଦେବୁ।

ଜମ୍ମୁ-କଶ୍ମୀରରେ କ୍ଷମତାକୁ ଆସିଲେ ଆମେ ପ୍ରତି ପରିବାରର ବୟସ୍କ ମହିଳାଙ୍କୁ ବାର୍ଷିକ ୧୮ ହଜାର ଟଙ୍କାର ସହାୟତା ରାଶି ଦେବୁ। ମାଗଣାରେ ଦୁଇଟି ଏଲପିଜି ସିଲିଣ୍ଡର ଦେବୁ। ଜାମ୍ମୁରେ ମେଟ୍ରୋ ରେଳ ଗଡିବ। ୫୦୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ମାଗଣାରେ ଦେବୁ। ଅଗ୍ନିବୀର ଯୋଜନାରେ ଆମେ ୨୦ ପ୍ରତିଶତ ସଂରକ୍ଷଣ ଦେବୁ ବୋଲି ଶ୍ରୀ ଶାହ ପ୍ରତିଶ୍ରୁତି ଦେଇଥିଲେ।