ରାଜ୍ୟ ରାଜନୀତିରେ ହେବ ବଡ ବିସ୍ଫୋରଣ!

ବିଜେଡ଼ି ଉପରେ ଭାରୀ ପଡିବ କି ଗୋଷ୍ଠୀ କନ୍ଦଳ?

ଭୁବନେଶ୍ୱର,୨୫/୦୯: ଓଡ଼ିଶା ରାଜନୀତିରେ ହେବାକୁ ଯାଉଛି ବଡ ଧରଣର ବିସ୍ଫୋରଣ। ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ବେଳେ ତା ପୂର୍ବରୁ ଦଳ ଅଦଳ ବଦଳ କରିବେ ବହୁ ନେତା ବୋଲି ଦାବି କରିଛନ୍ତି ଶାସକ ଓ ବିରୋଧୀ ଦଳର ନେତା। ବିଶେଷ କରି ବିଜେଡ଼ି ମଧ୍ୟରେ ଗୋଷ୍ଠୀ କନ୍ଦଳ ଦଳର ସର୍ବନାଶ ହେବ ବୋଲି ସଙ୍କେତ ଦେଉଛି। ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ଦଳର ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବାରମ୍ବାର ଅସନ୍ତୁଷ୍ଟ କର୍ମୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଫଳ ଶୂନ। ବରଂ ଦଳର ଆଭ୍ୟନ୍ତରୀଣ କଳହ ବର୍ତ୍ତମାନ ଦାଣ୍ଡରେ ପଡି ହାଟରେ ଗଡିଲାଣି। ଦଳ ମଧ୍ୟରେ ଥିବା ଆଭ୍ୟନ୍ତରୀଣ କଳହ ଏବେ ଦଳ ଉପରେ ଭାରୀ ପଡିବନି ତ ବୋଲି ପ୍ରଶ୍ନ ଉଠିଛି।

ଏହାରି ଭିତରେ ବିଜେପି ଓ ବିଜେଡ଼ି ମଧ୍ୟରେ ଚାଲିଲି କଥା କଟାକଟି। ଉଭୟ ଦଳର ବରିଷ୍ଠ ନେତା ଦାବି କରିଛନ୍ତି ଯେ, ସେମାନଙ୍କ ଲିଙ୍କରେ ବହୁ ନେତା, ବିଧାୟକ ଓ ସାଂସଦ ଅଛନ୍ତି। ଦଳ ଉପରେ ଅସନ୍ତୁଷ୍ଟ ଥିବା ନେତା ବହୁ ଶୀଘ୍ର ଅନ୍ୟ ଦଳରେ ଯୋଗ ଦେବେ। ବିଜେଡିରେ ଥିବା ଗୋଷ୍ଠୀ କନ୍ଦଳ ଆଗାମୀ କିଛି ମାସ ମଧ୍ୟରେ ବଡ ବିସ୍ଫୋରଣର ସାମନା କରିବ ବୋଲି କହିଛନ୍ତି ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ।

ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସାଂସଦ କହିଛନ୍ତି, ଆଗାମୀ ୩ ମାସ ମଧ୍ୟରେ ବିଜେଡିର ବିଧାୟକ ଓ ପୂର୍ବତନ ବିଧାୟକଙ୍କ ସମେତ ଅନେକ ବରିଷ୍ଠ ନେତା ଦଳ ଛାଡ଼ିବାକୁ ଯାଉଛନ୍ତି। ଦଳ ଉପରେ ଅସନ୍ତୁଷ୍ଟ ଥିବାରୁ ଏହି ନେତାମାନେ ବିଜେପିରେ ଯୋଗଦେବେ। ଆଗାମୀ ୩ ମାସ ମଧ୍ୟରେ ବିଜେଡିରେ ବଡ଼ ଧରଣର ବିସ୍ଫୋରଣ ହେବ। ରାଜ୍ୟସଭା ସଭ୍ୟଙ୍କ ସମେତ ବିଜେଡିର ଅନେକ ବରିଷ୍ଠ ନେତା ବିଜେପି ସହ ଯୋଗାଯୋଗରେ ଅଛନ୍ତି। ସ୍ୱଚ୍ଛ ଭାବମୂର୍ତ୍ତି ଏବଂ ଭଲ ଟ୍ରାକ୍ ରେକର୍ଡ ଥିବା ନେତାଙ୍କୁ ବିଜେପିରେ ସାମିଲ କରାଯିବ। ଓଡ଼ିଶାର ବିଜେପି ସରକାର ରାଜ୍ୟର ବିକାଶ ଓ ସବୁ ବର୍ଗର ଲୋକଙ୍କ କଲ୍ୟାଣ ପାଇଁ ଆନ୍ତରିକତାର ସହ କାର୍ଯ୍ୟ କରୁଛି। ତେଣୁ ବିକାଶ ପ୍ରକ୍ରିୟାରେ ସାମିଲ ହେବାକୁ ଆଗ୍ରହୀ ଥିବା ନେତା ଦଳରେ ଯୋଗ ଦେବେ ବୋଲି ସାଂସଦ କହିଛନ୍ତି।

ଶ୍ରୀ ପାଣିଗ୍ରାହୀଙ୍କ ଦାବିକୁ ଖଣ୍ଡନ କରି ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ ଅନେକ ବିଜେପି ନେତା ମଧ୍ୟ ବିଜେଡ଼ି ସହ ଯୋଗାଯୋଗରେ ଅଛନ୍ତି। ବିକାଶ ହେଉଛି ଦଳର ପ୍ରାଥମିକତା। ମୁଖ୍ୟ ବିରୋଧୀ ଦଳ ହୋଇ ମଧ୍ୟ ବିଜେଡି ଓଡ଼ିଶାର ବିକାଶ ପାଇଁ କାର୍ଯ୍ୟ ଜାରି ରଖିଛି ଏବଂ ଆଗକୁ ଏହାର ଧାରା ଜାରି ରଖିବ। ରାଜନୀତିରେ ଆଗକୁ ବଡ ହଲଚଲ ହେବାକୁ ଯାଉଛି ବୋଲି ଶ୍ରୀ ମିଶ୍ର କହିଛନ୍ତି।

ଚଳିତ ବର୍ଷ ବିଧାନସଭା ଓ ଲୋକସଭା ନିର୍ବାଚନ ପୂର୍ବରୁ ବିଜେଡିର ବରିଷ୍ଠ ନେତାଙ୍କ ମଧ୍ୟରେ ମତଭେଦ ସାମ୍ନାକୁ ଆସିଥିଲା। ଆଭ୍ୟନ୍ତରୀଣ କଳହ ନିର୍ବାଚନରେ ଦଳର ପ୍ରଦର୍ଶନକୁ ପ୍ରଭାବିତ କରିଥିଲା, ଏହାର ଦୁର୍ବଳତାକୁ ପଦାରେ ପକାଇଥିଲା। କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପାକର ଓ ଅମରେଶ ଜେନାଙ୍କ ନେତୃତ୍ୱରେ କିଛି ବିଜେଡି କର୍ମୀ ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଟାର୍ଗେଟ କରିବା ସହ ଦଳ ବିରୋଧୀ କାର୍ଯ୍ୟ କରୁଥିବା ଅଭିଯୋଗ କରିଥିଲେ। ସେପଟେ ଗତ କିଛି ଦିନ ତଳେ ବିଜେଡ଼ି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ କହିଥିଲେ, ଆଗକୁ ପ୍ରାୟ ୭ଟି ବିଧାନସଭା ଆସନରେ ଉପନିର୍ବାଚନ ହେବ। ଏଥିରେ ବିଜୁ ଜନତା ଦଳ ଜିତିବ। ଆବଶ୍ୟକ ପଡିଲେ, କଂଗ୍ରେସ ସହ ହାତ ମିଳାଇ ରାଜ୍ୟରେ ସରକାର ଗଢିବ ବିଜେଡି।

ଶାସକ ଦଳର ଟାର୍ଗେଟ ଓ ନିଜ ଦଳର ବରିଷ୍ଠ ନେତାଙ୍କ ମନ୍ତବ୍ୟ ପରେ ମଧ୍ୟ ଦଳୀୟ ନେତାଙ୍କୁ ଏକ କରି ରଖିବା ପାଇଁ କୌଣସି କସରତ ଛାଡୁ ନାହାନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ଇତି ମଧ୍ୟରେ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ୨୦ରୁ ଅଧିକ ଜିଲ୍ଲାର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ତା ୨୭ ତାରିଖରେ ବିଜେଡିର ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ। ରାଜ୍ୟର ବିଭିନ୍ନ ଜିଲ୍ଲାର ସଭାପତିଙ୍କ ସମେତ ବହୁ ବରିଷ୍ଠ ନେତା ମଧ୍ୟ ଯୋଗ ଦେବେ। ତେବେ ବିଭିନ୍ନ ଦଳର ନେତାଙ୍କ ବୟାନବାଜି ପରେ ରାଜ୍ୟ ରାଜନୀତିର ମୋଡ କେଉଁଆଡେ ବଙ୍କିବ ତାକୁ ନେଇ ଜୋରଦାର ଚର୍ଚ୍ଚା ଲାଗି ରହିଛି।