ଏସିଆ ପାୱାର ଇଣ୍ଡେକ୍ସ: ଜାପାନକୁ ପଛରେ ପକାଇଲା ଭାରତ

ଭାରତ ତୃତୀୟ ଶକ୍ତିଶାଳୀ ରାଷ୍ଟ୍ର

ନୂଆଦିଲ୍ଲୀ, ୨୫/୦୯: ବୈଶ୍ୱିକ ସ୍ତରରେ ବୃଦ୍ଧି ପାଉଛି ଭାରତର ଶକ୍ତି। ଏସିଆର ତୃତୀୟ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଆଗକୁ ବଢିଛି। ଏସିଆ ପାୱାର ଇଣ୍ଡେକ୍ସ ରିପୋର୍ଟରେ ଜାପାନକୁ ପଛରେ ପକାଇ ଭାରତ ଏସିଆର ତୃତୀୟ ଶକ୍ତିଶାଳୀ ରାଷ୍ଟ୍ର ପାଲଟିଛି। ୨୦୨୪ ପାଇଁ ଏସିଆ ପାୱାର ଇଣ୍ଡେକ୍ସ ରିପୋର୍ଟରେ ଉଲ୍ଲେଖ ଅଛି ଯେ କୋଭିଡ୍ ପରବର୍ତ୍ତୀ ଦୃଢ଼ ଅର୍ଥନୈତିକ ଅଭିବୃଦ୍ଧି ଯୋଗୁଁ ଭାରତ ଏହାର ଅର୍ଥନୈତିକ କ୍ଷମତାକୁ ୪.୨ ପଏଣ୍ଟ ବୃଦ୍ଧି କରିଛି। ଭାରତ ଅନ୍ୟ ସମସ୍ତ ସମ୍ବଳ ବ୍ୟବସ୍ଥାରେ, ବିଶେଷକରି ଭବିଷ୍ୟତର ସମ୍ବଳରେ ଭଲ ପ୍ରଦର୍ଶନ କରିଛି, ଯେଉଁଠାରେ ଏହାର ସ୍କୋର ୮.୨ ପଏଣ୍ଟ ବୃଦ୍ଧି ପାଇଛି।

ଏସିଆ ପାୱାର ଇଣ୍ଡେକ୍ସରେ ମଧ୍ୟ ଭାରତର କୂଟନୈତିକ ପ୍ରଭାବ ବୃଦ୍ଧି ପାଇଛି। ଭାରତକୁ ସୈନ୍ୟ ଶକ୍ତି ପାଇଁ ଚତୁର୍ଥ ସ୍ଥାନ, ସାଂସ୍କୃତିକ ପ୍ରଭାବ ପାଇଁ ଚତୁର୍ଥ ସ୍ଥାନ, ଆର୍ଥିକ କ୍ଷମତା ପାଇଁ ଚତୁର୍ଥ ସ୍ଥାନ, ଭବିଷ୍ୟତ ସଂସାଧନ ପାଇଁ ତୃତୀୟ ସ୍ଥାନ ଓ କୂଟନୈତିକ ପ୍ରଭାବ ପାଇଁ ଚତୁର୍ଥ ସ୍ଥାନ ମିଳିଛି। ସର୍ବମୋଟରେ ଭାରତ ତୃତୀୟ ସ୍ଥାନ ଅଧିକାର କରିଛି।

ଏସିଆ ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ୨୭ଟି ରାଷ୍ଟ୍ରକୁ ନେଇ ଏସିଆ ପାୱାର ଇଣ୍ଡେକ୍ସ ପ୍ରକାଶ ପାଇଛି। ୮୧.୭ ପଏଣ୍ଟ ସହ ଆମେରିକା ସର୍ବ ଶକ୍ତିଶାଳୀ ରାଷ୍ଟ୍ର ମାନ୍ୟତା ପାଇଥିବା ବେଳେ ୭୨.୭ ପଏଣ୍ଟ ସହ ଚାଇନା ଦ୍ୱିତୀୟ ଶକ୍ତିଶାଳୀ ରାଷ୍ଟ୍ର ଓ ଭାରତର ୩୯.୧ ପଏଣ୍ଟ ହାସଲ କରି ତୃତୀୟ ଶକ୍ତିଶାଳୀ ରାଷ୍ଟ୍ର ହେବାର ଗୌରବ ଅର୍ଜନ କରିଛି। ଜାପାନ ୩୮.୯ ପଏଣ୍ଟ ସହ ଚତୁର୍ଥ ଓ ଅଷ୍ଟ୍ରେଲିଆ ୩୧.୯ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛି। ଅନ୍ୟପଟେ ପଡୋଶୀ ଦେଶ ପାକିସ୍ତାନ ୧୪.୬ ପଏଣ୍ଟରେ ୧୬ତମ ସ୍ଥାନ ଓ ବାଂଲାଦେଶ ୯.୪ ପଏଣ୍ଟରେ ୨୦ତମ ସ୍ଥାନରେ ରହିଛି। ମ୍ୟାଁମାର ୬.୭ ପଏଣ୍ଟରେ ୨୩ତମ ସ୍ଥାନରେ ରହିଛି। ନେପାଳ ୪.୮ ପଏଣ୍ଟ ହାସଲ କରି ୨୫ତମ ସ୍ଥାନରେ ରହିଛି। ସବୁଠୁ ନିମ୍ନରେ ପପୁଆ ନିଉ ଗିନିଆ ୪.୨ ପଏଣ୍ଟ ହାସଲ କରି ୨୭ତମ ସ୍ଥାନ ଅଧିକାର କରିଛି।

ଛଅ ବର୍ଷର ତଥ୍ୟ ଅନୁଧ୍ୟାନ ପରେ ୨୦୨୪ ସଂସ୍କରଣ ଏସିଆ ପାୱାର ଇଣ୍ଡେକ୍ସ ରିପୋର୍ଟ ପ୍ରକାଶ ପାଇଛି। ଯୁକ୍ତରାଷ୍ଟ୍ର ଆମେରିକା ଏବେ ବି ପ୍ରଭାବଶାଳୀ ରାଷ୍ଟ୍ର ଥିବା ବେଳେ ଚୀନରେ ସାମରିକ କ୍ଷମତା ବୃଦ୍ଧି ପାଉଥିଲେ ମଧ୍ୟ ସାମଗ୍ରିକ ପ୍ରଭାବ ହ୍ରାସ ପାଇଛି। ଚୀନର ସ୍ଥାନ ସମାନ ରହିଛି। ଦେଶଗୁଡ଼ିକର ଅର୍ଥନୈତିକ, ପ୍ରତିରକ୍ଷା, କୂଟନୈତିକ ଏବଂ ଅନ୍ୟାନ୍ୟ ଶକ୍ତି ଆଧାରରେ ଆକଳନ କରାଯାଏ।