ମଧ୍ୟପ୍ରାଚ୍ୟ ସଙ୍କଟ: ଭାରତୀୟଙ୍କ ସୁରକ୍ଷା ପାଇଁ ବଢିଲା ଚିନ୍ତା

ଲେବାନନ ଗସ୍ତ ବାତିଲ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୬/୦୯: ଲେବାନନରେ ବଡ ଧରଣର ଆକ୍ରମଣ କରିବା ପାଇଁ ପ୍ରସ୍ତୁତ ହେଉଛି ଇସ୍ରାଏଲ। ଇସ୍ରାଏଲ ସମ୍ଭାବ୍ୟ ଆକ୍ରମଣ ପାଇଁ ନିଜ ସୈନ୍ୟଙ୍କୁ ପ୍ରସ୍ତୁତ କରୁଛି। ଏହାକୁ ଦୃଷ୍ଟିରେ ରଖି ଭାରତ ପୁଣି ଥରେ ନିଜ ନାଗରିକମାନଙ୍କୁ ଲେବାନନ ଛାଡ଼ିବାକୁ ଅନୁରୋଧ କରିଛି। ଭାରତରୁ ମଧ୍ୟ ଲେବାନନ ଯିବା ପାଇଁ ବାରଣ କରିଛି ଓ ଗସ୍ତ ବାତିଲ ପାଇଁ ନିର୍ଦ୍ଦେଶ ଦେଇଛି ଭାରତର ବୈଦେଶିକ ମନ୍ତ୍ରାଳୟ।

ହିଜବୁଲ୍ଲା ଓ ଇସ୍ରାଏଲ ସେନା ମଧ୍ୟରେ ଚାଲିଥିବା ସୀମାପାର ଶତ୍ରୁତା ମଧ୍ୟରେ ଦକ୍ଷିଣ ଲେବାନନରେ ଏୟାର ଷ୍ଟ୍ରାଇକ ଜାରି ରହିଛି। ବେରୁତସ୍ଥିତ ଭାରତୀୟ ଦୂତାବାସ ମଧ୍ୟ ଭାରତୀୟ ନାଗରିକମାନଙ୍କୁ ଏହି ଅଞ୍ଚଳରେ ସାମ୍ପ୍ରତିକ ଉତ୍ତେଜନାକୁ ଦୃଷ୍ଟିରେ ରଖି ଲେବାନନ ଯାତ୍ରା ନ କରିବାକୁ ପରାମର୍ଶ ଦେଇଛି। ଲେବାନନରେ ପ୍ରାୟ ୪,୦୦୦ ଭାରତୀୟ ନାଗରିକ ଅଛନ୍ତି। ଯେଉଁମାନେ କୌଣସି କାରଣରୁ ଲେବାନନରେ ରହୁଛନ୍ତି ସେମାନେ ବେରୁତସ୍ଥିତ ଭାରତୀୟ ଦୂତାବାସ ସହିତ ଯୋଗାଯୋଗରେ ରହିବାକୁ ପରାମର୍ଶ ଦିଆଯାଇଛି। ଇମେଲ୍ ଆଇଡି: [email protected] କିମ୍ବା ଜରୁରୀକାଳୀନ ଫୋନ୍ ନମ୍ବର +96176860128 ମାଧ୍ୟମରେ ଯୋଗାଯୋଗ କରିବାକୁ କୁହାଯାଇଛି।

ଇସ୍ରାଏଲ ଲେବାନନରେ ଆକ୍ରମଣ ଜାରି ରଖିଥିବା ବେଳେ ଏଥିରେ ୬୨୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ହଜାର ହଜାର ଲୋକ ଆହତ ହୋଇଛନ୍ତି। ଲେବାନନରେ ହିଜବୁଲ୍ଲାର ସମ୍ପୁର୍ଣ୍ଣ ଭିତ୍ତିଭୂମି ନଷ୍ଟ କରିବା ପର୍ଯ୍ୟନ୍ତ ଏ ଆକ୍ରମଣ ଜାରି ରଖିବ ଇସ୍ରାଏଲ।