ଓଡ଼ିଶା ହେବ ଶିଳ୍ପ ହବ୍

ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଦ୍ବାରା ଆଗକୁ ବଢିବ ଶିଳ୍ପାୟନ।

ରାଷ୍ଟ୍ରଦୂତ-ମୁଖ୍ୟମନ୍ତ୍ରୀ ୱାନ-ଟୁ-ୱାନ ଆଲୋଚନା

ନୂଆଦିଲ୍ଲୀ, ୦୩/୧୦: ଓଡ଼ିଶାକୁ ଶିଳ୍ପ ହବ୍ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ରାଷ୍ଟ୍ରଦୂତଙ୍କ ସହ ୱାନ ଟୁ ୱାନ ଆଲୋଚନା କରିଛନ୍ତି। ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍ ଓଡ଼ିଶା କନ୍ କ୍ଲେଭ୍ ୨୦୨୫ ପୂର୍ବରୁ ନୂଆଦିଲ୍ଲୀରେ ରାଷ୍ଟ୍ରଦୂତ ସମ୍ମିଳନୀ ସଫଳ ଭାବେ ଅନୁଷ୍ଠିତ ହୋଇଯାଇଛି।

ଏହି ସମ୍ମିଳନୀରେ ଓଡ଼ିଶାର ଶିଳ୍ପ ଇକୋସିଷ୍ଟମକୁ ପ୍ରଦର୍ଶିତ କରାଯିବା ସହ ବିଶ୍ବସ୍ତରୀୟ ନିବେଶକଙ୍କ ପାଇଁ ପୁଞ୍ଜିନିବେଶର ନୂତନ ସୁଯୋଗ ଉପରେ ଆଲୋକପାତ କରାଯାଇଥିଲା। ଏହି ସମ୍ମିଳନୀରେ ୩୪ଟି ଦେଶର ରାଷ୍ଟ୍ରଦୂତ, ହାଇକମିସନର, କନସୁଲ ଜେନେରାଲ, ବାଣିଜ୍ୟ କମିଶନର ଏବଂ ବରିଷ୍ଠ କୂଟନୀତିଜ୍ଞମାନେ ଯୋଗ ଦେଇଥିଲେ। ଇଣ୍ଡୋନେସିଆ, ନରୱେ, ସିଙ୍ଗାପୁର, ଚୀନ, ଜାପାନ, ବ୍ରାଜିଲ, ଆର୍ଜେଣ୍ଟିନା, ଆମେରିକା, ଥାଇଲାଣ୍ଡ, ଭିଏତନାମ ଏବଂ ବ୍ରିଟେନ ପ୍ରମୁଖ ଦେଶର ପ୍ରତିନିଧି ମାନେ ଯୋଗ ଦେଇଥିଲେ। ଏହାବ୍ୟତୀତ ୯ଟି ବିଦେଶୀ ସଂଘ ଏଥିରେ ଅଂଶଗ୍ରହଣ କରି ଓଡ଼ିଶା ପ୍ରତି ବଢୁଥିବା ବିଶ୍ୱସ୍ତରୀୟ ଆଗ୍ରହକୁ ପ୍ରତିଫଳିତ କରିଥିଲେ।

ରାଷ୍ଟ୍ରଦୂତ ସମ୍ମିଳନୀ ବା ଆମ୍ବାସଡର ମିଟ୍ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, କମିଶନର, ହାଇକମିଶନର ଏବଂ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା ହୋଇଛି। ଓଡିଶାରେ ଶିଳ୍ପ ବାତାବରଣ ଏବଂ ପୁଞ୍ଚିନିବେଶ ପାଇଁ ସକରାତ୍ମକ ଆଲୋଚନା ହୋଇଛି। ଏଥିରେ ଆନ୍ତର୍ଜାତିକ ସହଭାଗୀତା ଭିତ୍ତିରେ ଓଡିଶାରେ କିପରି ବିଦେଶୀ ପୁଞ୍ଜି ନିବେଶ ହୋଇ ପାରିବ ଆଜିର ଆଲୋଚନା ଫଳପ୍ରଦ ହୋଇଛି। ମୁଁ ଆଶା କରୁଛି ୨୦୨୫ କନକ୍ଲେଭ ଏକ ସର୍ବବୃହତ୍ତ ଶିଳ୍ପ ସମାବେଶ ଅନୁଷ୍ଠିତ ହେବାକୁ ଯାଉଛି। ଆଗାମୀ ଦିନରେ ସେମିକଣ୍ଡକ୍ଟର, ଆଇଟି, ଗ୍ରୀନ ଏନର୍ଜି, ପେଟ୍ରୋ କେମିକାଲସ, ଇଲେକ୍ଟ୍ରୋନିକସ, ଫୁଡ ପ୍ରୋସେସିଙ୍ଗ କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ ହେବାର ସମ୍ଭାବନା ରହିଛି। ଏହା ୨୦୩୬ରେ ସମୃଦ୍ଧ ଓଡିଶା ଏବଂ ୨୦୪୭ରେ ବିକଶିତ ଓଡିଶା ଗଠନରେ ନିଶ୍ଚିନ୍ତ ସୁଦୃଢ ମୂଳଦୁଆ ପକାଇବ।

ଯାହା ପ୍ରଧାନମନ୍ତ୍ରୀ କହିଥିଲେ ପୂର୍ବୋଦୟର ବିକାଶ ହେଲେ ଭାରତର ବିକାଶ ହେବ, ତାହା ସଫଳ ହେବ। ଓଡିଶାର ଯେଉଁ ଡବଲ ଇଞ୍ଜିନ ସରକାର ହୋଇଛି, କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଓଡିଶା ଏକ ଶିଳ୍ପ ହବରେ ପରିଣତ ହେବାକୁ ଯାଉଛି। ଏଥିନେଇ ନିଶ୍ଚିତ ରୂପରେ ଆମକୁ ଆଜି ଏକ ସଫଳ ସଙ୍କେତ ମିଳି ପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।