ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି

୪ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା

କୋରାପୁଟ, ୦୪/୧୦: ସରକାରୀ ଚାକିରିରେ ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ୪ଟି ଜିଲ୍ଲାରେ ବନ୍ଦ ଡାକରା ଦିଆଯାଇଛି। କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରେ ଶୁକ୍ରବାର ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ମିଳିତ କ୍ରିୟାନୁଷ୍ଠାନ କମିଟି। ଏହି ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୋକାନ ବଜାର ବନ୍ଦ ରହିଛି। ଏଥିସହିତ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଛି। ଏଥିରେ ବିଭିନ୍ନ ସଂଗଠନ ଯଥାକ୍ରମେ ଘରୋଇ ବସ୍ ମାଲିକ ସଂଘ, ଲରି ଆସୋସିଏସନ୍, ଡ୍ରାଇଭର୍ସ ଆସୋସିଏସନ୍, ଜିଲ୍ଲା ବାର୍ ଆସୋସିଏସନ୍ ପ୍ରମୁଖ ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି। ବନ୍ଦ ଦ୍ୱାରା ଜରୁରୀକାଳୀନ ସେବା ବାଧାପ୍ରାପ୍ତ ହେବ ନାହିଁ ବୋଲି ବିକ୍ଷୋଭକାରୀମାନେ କହିଛନ୍ତି।

ଅବିଭକ୍ତ କୋରାପୁଟ ଜିଲ୍ଲାରେ ଅନ୍ୟ ଜିଲ୍ଲାରୁ ଅନେକ ଲୋକଙ୍କୁ ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗରେ ନିଯୁକ୍ତି ଦିଆଯାଉଛି ବୋଲି ବିକ୍ଷୋଭକାରୀମାନେ ଅଭିଯୋଗ କରିଛନ୍ତି। ତେବେ ଅଳ୍ପ ଦିନ କାମ କରିବା ପରେ ସେମାନଙ୍କୁ ଅନ୍ୟ ସ୍ଥାନକୁ ବଦଳି କରାଯାଉଛି ଏବଂ ଏହି ୪ଟି ଜିଲ୍ଲାର ଲୋକମାନେ ବିଭିନ୍ନ ପ୍ରକାର ସେବାରୁ ବଞ୍ଚିତ ହେଉଛନ୍ତି। ତେଣୁ ଜିଲ୍ଲା ଭିତ୍ତିକ ସ୍ଥାୟୀ ନିଯୁକ୍ତି ପାଇଁ ସେମାନେ ଦାବି କରିଛନ୍ତି।