ଭିଜିଲାନ୍ସ ଜାଲରେ ବଲାଙ୍ଗୀର କନିଷ୍ଠ ଯନ୍ତ୍ରୀ

ଲାଞ୍ଚ ନେଇ ଫସିଲେ

ସମ୍ବଲପୁର, ୦୪/୧୦: ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ବଲାଙ୍ଗୀର ଜିଲ୍ଲାର ବେଲପଡା ବ୍ଲକର କନିଷ୍ଠ ଯନ୍ତ୍ରୀ ଜୟକୃଷ୍ଣ ସାହୁ। ଖୋଲା କୂଅ ଜଳସେଚନ ଯୋଜନାରେ ହିତାଧିକାରୀଙ୍କ ଖୋଳା ଯାଇଥିବା କୂଅ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଜବ୍ କାର୍ଡଧାରୀଙ୍କୁ ମଜୁରି ପ୍ରଦାନ ପାଇଁ କେସ୍ ରେକର୍ଡ ଦେବା ପାଇଁ ଜଣେ ହିତାଧିକାରୀଙ୍କଠାରୁ ଲାଞ୍ଚ ନେବା ବେଳେ ଧରା ପଡିଛନ୍ତି କନିଷ୍ଠ ଯନ୍ତ୍ରୀ। କନିଷ୍ଠ ଯନ୍ତ୍ରୀ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିବା ବେଳେ ପୂର୍ବରୁ ସେ ୨୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ। ଗତ କାଲି ଅଭିଯୋଗକାରୀ ଭିଜିଲାନ୍ସର ଟୋଲ ଫ୍ରି ନମ୍ବରରେ ଫୋନ କରି ଅଭିଯୋଗ କରିଥିଲେ। ଏହା ପରେ ଆଜି ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ଶ୍ରୀ ସାହୁଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିବା ପରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଦୃଷ୍ଟିକୋଣରୁ ଶ୍ରୀ ସାହୁଙ୍କ ସହ ଜଡ଼ିତ ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ।