ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ହେଲେ ନୋଏଲ ଟାଟା

ରତନ ଟାଟାଙ୍କ ଦେହାନ୍ତ ପରେ ନୋଏଲ ଟାଟାଙ୍କୁ ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି।

ରତନ ଟାଟାଙ୍କ ସାବତ ଭାଇ ନୋଏଲ ଟାଟା

ମୁମ୍ବାଇ, ୧୧/୧୦: ଟାଟା ଟ୍ରଷ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ସର୍ବସମ୍ମତିକ୍ରମେ ନୋଏଲ ଟାଟାଙ୍କୁ ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଅକ୍ଟୋବର ୯ ରେ ରତନ ଟାଟାଙ୍କ ଦେହାନ୍ତ ପରେ ଟାଟା ଟ୍ରଷ୍ଟର ବୋର୍ଡ ଆଜି ମୁମ୍ବାଇରେ ଏକ ବୈଠକ କରି ପରବର୍ତ୍ତୀ ଉତ୍ତରାଧିକାରୀ କିଏ ହେବେ, ସେ ନେଇ ଆଲୋଚନା ହୋଇଥିଲା। ତେବେ ତାଙ୍କ ସାବତ ଭାଇ ନୋଏଲ ଟାଟାଙ୍କୁ ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି।

୬୭ ବର୍ଷୀୟ ନୋଏଲ ଟାଟା ହେଉଛନ୍ତି ରତନ ଟାଟାଙ୍କ ପିତା ନାଭାଲ ଟାଟା ଓ ସିମୋନ ଟାଟାଙ୍କ ପୁଅ। ସେ ପୂର୍ବରୁ ସାର୍ ରତନ ଟାଟା ଟ୍ରଷ୍ଟ ଏବଂ ସାର୍ ଦୋରାବଜୀ ଟାଟା ଟ୍ରଷ୍ଟର ବୋର୍ଡରେ ଥିଲେ ଏବଂ ତାଙ୍କ ଉତ୍ତରାଧିକାରୀ ହେବା ପାଇଁ ସବୁଠାରୁ ଆଗରେ ଥିଲେ। ରତନ ଟାଟା କେବେ ବିବାହ କରିନଥିଲେ ଏବଂ ତାଙ୍କର କୌଣସି ସନ୍ତାନ ନଥିଲା। ଏଥିସହିତ ସେ ଟାଟା ଟ୍ରଷ୍ଟର ଉତ୍ତରାଧିକାରୀଙ୍କ ନାମ ଘୋଷଣା କରିନଥିଲେ। ଯାହା ପରେ ଟାଟା ଟ୍ରଷ୍ଟର ତଦାରଖ କିଏ କରିବେ ସେ ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା। ଟାଟା ଟ୍ରଷ୍ଟ ଅଧୀନରେ ଥିବା ୧୩ଟି ଟ୍ରଷ୍ଟର ଅଧ୍ୟକ୍ଷ ରହିବେ ନୋଏଲ ଟାଟା।

ନୋଏଲ ଟାଟା ୨୦୧୪ରୁ ଟ୍ରେଣ୍ଟ ଲିମିଟେଡର ଅଧ୍ୟକ୍ଷ ଅଛନ୍ତି। ଏହା ପୂର୍ବରୁ ସେ ୨୦୧୦ରୁ ୨୦୨୧ ପର୍ଯ୍ୟନ୍ତ ଟାଟା ଇଣ୍ଟରନ୍ୟାସନାଲ ଲିମିଟେଡର ନେତୃତ୍ୱ ନେଇଥିଲେ। ସେ ଟାଟା ଷ୍ଟିଲ ଏବଂ ଭୋଲଟାସ୍ ଲିମିଟେଡ ସମେତ ଅନେକ ଟାଟା କମ୍ପାନୀର ବୋର୍ଡରେ ମଧ୍ୟ ଥିଲେ ।

ପୂର୍ବରୁ ତାଙ୍କୁ ଟାଟା ସନ୍ସର ଅଧ୍ୟକ୍ଷ ପଦ ପାଇଁ ମଧ୍ୟ ବିଚାର କରାଯାଉଥିଲା, କିନ୍ତୁ ଶେଷରେ ଏହି ଦାୟିତ୍ୱ ତାଙ୍କ ଭିଣୋଇ ସାଇରସ ମିସ୍ତ୍ରୀଙ୍କୁ ମିଳିଥିଲା। ମିସ୍ତ୍ରୀଙ୍କ ବିବାଦୀୟ ଇସ୍ତଫା ପରେ ଏନ୍ ଚନ୍ଦ୍ରଶେଖରନ ଟାଟା ସନ୍ସର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।