‘ଦୁର୍ନୀତି ନିବାରଣ ସଚେତନତା ସପ୍ତାହ’ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ପିକେ ଦ୍ୱିବେଦୀ ଶ୍ରେଷ୍ଠ ଦୁର୍ନୀତି ନିବାରଣ ଅଧିକାରୀ

ଭୁବନେଶ୍ବର, ୨୮/୧୦: ଆଜିଠୁ ଆରମ୍ଭ ହୋଇଛି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ। ଭୁବନେଶ୍ବର ସ୍ଥିତ ଲୋକସେବା ଭବନରେ ଆୟୋଜିତ ‘ଦୁର୍ନୀତି ନିବାରଣ ସଚେତନତା ସପ୍ତାହ’ ଉତ୍ସବର ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଏହି ଅବସରରେ ରାଜ୍ୟରେ ଭିଜିଲାନ୍ସ ଫରେନସିକ୍ ସାଇନ୍ସ ଇନଷ୍ଟିଚ୍ୟୁଟ୍ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିଲେ। ବିଭାଗର ଦକ୍ଷତା ବୃଦ୍ଧି ପାଇଁ ଓଡ଼ିଶା ଭିଜିଲାନ୍ସରେ ୮ ଜଣ ଏସପି, ୮ ଜଣ ଅତିରିକ୍ତ ଏସପି, ୨୪ ଜଣ ଡିଏସପି ଓ ୧୬ ଜଣ ଏସଆଇଙ୍କୁ ସାମିଲ କରାଯିବ। ଏଥିସହିତ ସାଇବର ବିଶେଷଜ୍ଞ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଓ ବ୍ୟାଙ୍କ ଏକ୍ସପର୍ଟଙ୍କୁ ମିଶାଇ ୨୪ ଜଣଙ୍କୁ ନିଯୁକ୍ତି ଦିଆଯିବ ଏବଂ ଭିଜିଲାନ୍ସ କର୍ମଚାରୀଙ୍କୁ ଖୁବ୍ ଶୀଘ୍ର ୧୩୫ଟି ମୋଟର ବାଇକ୍ ଓ ୧୬୦ଟି ଲାପଟପ୍ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଘୋଷଣା କରିଥିଲେ।

ଏହି ଅବସରରେ କୋରାପୁଟ ଏସପି ପିକେ ଦ୍ୱିବେଦୀଙ୍କୁ ୨୦୨୩ର ଶ୍ରେଷ୍ଠ ଦୁର୍ନୀତି ନିବାରଣ ଅଧିକାରୀ ଭାବେ ସମ୍ମାନିତ କରାଯାଇଥିଲା। ବାଲେଶ୍ୱର ଭିଜିଲାନ୍ସର ଦୁଷ୍ମନ୍ତ ନାୟକ ଓ ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନର ଡିଏସପି ସବିତାଞ୍ଚଳୀ ନାୟକଙ୍କୁ ଶ୍ରେଷ୍ଠ ତଦନ୍ତକାରୀ ଅଧିକାରୀ ଭାବେ ସମ୍ମାନିତ କରାଯାଇଥିଲା। ଭିଜିଲାନ୍ସ କୋର୍ଟର ସରକାରୀ ଓକିଲ ହେମନ୍ତ କୁମାର ସ୍ୱଭିକଙ୍କୁ ଶ୍ରେଷ୍ଠ ସରକାରୀ ଓକିଲ ଭାବେ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିଲେ।